ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବୁଧବାର ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଭୁବନେଶ୍ୱର ଓ କଟକ ଡିସିପିଙ୍କ ସମେତ ସମସ୍ତ ରେଂଜର ଆଇଜି ଓ ଡିଆଇଜି, କଟକ-ଭୁବନେଶ୍ୱର ପୁଲିସ କମିସନରଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। ଅପରାହ୍ନ ୩ ଘଟିକାରୁ ୬ ଘଟିକା ମଧ୍ୟରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱରରୁ ଏସ୍.ସି.ଆର.ବି ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଆଇ.ଜି (ଅପରେସନ୍), ଗୁଇନ୍ଦା ବିଭାଗ ଡିଆଇଜି ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ହେଡକ୍ୱାର୍ଟସ, ଆଇନ ଶୃଙ୍ଖଳା, କ୍ରାଇମବ୍ରାଞ୍ଚ, ଆଇ.ଜି କ୍ରାଇମବ୍ରାଞ୍ଚ, ଆଇ.ଜି (ପ୍ରୋଭିଜନିଂ) ଓ ଆଇ.ଜି (କାର୍ମିକ) ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ।

ବୈଠକରେ ଜରୁରୀକାଳୀନ ସହାୟତା ବ୍ୟବସ୍ଥା ‘ଡାଏଲ୍‌ ୧୧୨’ର ଆରମ୍ଭ, CCTNS ମାଧ୍ୟମରେ ସ୍ପେଶାଲ ରିପୋର୍ଟ୍ ଏବଂ ନନ୍ ସ୍ପେଶାଲ ରିପୋର୍ଟ୍‌ ଦାଖଲ, ରାଜ୍ୟରେ ହଜିଯାଇଥିବା ପିଲାଙ୍କୁ ଠାବ କରିବା ପାଇଁ ଆସନ୍ତା ୦୭ରୁ ୧୪ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ ପ୍ରସଙ୍ଗ, ଡିଜିପି ଡିସ୍କ ଏବଂ ଅନ୍ୟାନ୍ୟ ପୋତ୍ସାହନ ପୁରସ୍କାର ମେଡାଲ ପ୍ରଦାନ ପାଇଁ ମନୋନୟନ ପ୍ରସଙ୍ଗ, ନ୍ୟାୟପାଳିକା ଏବଂ ଅଭିଯୋଜନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା, ଦୋଷମୁକ୍ତ ରାୟଗୁଡିକର ସମୀକ୍ଷା ଓ ଆଇନ୍‌ ପରାମର୍ଶଦାତା ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Comments are closed.