ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ – ଶ୍ରୀ ଅଭୟ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମଙ୍ଗଳବାର ଅତିରିକ୍ତ ରେଳବାଇ ମହାନିର୍ଦ୍ଦେଶକ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା,ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ଭୁବନେଶ୍ୱର ଓ କଟକ ଡିସିପି, କଟକ ଓ ରାଉରକେଲା ଏସଆରପି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକର ସମୀକ୍ଷା କରିଛନ୍ତି। ଆଲୋଚନା ସମୟରେ ରାଜ୍ୟରେ ଥିବା ବିଭିନ୍ନ ଥାନାଗୁଡିକୁ କିଭଳି ସଶକ୍ତ କରାଯାଇ ପାରିବ ସେ ନେଇ ଅଧିକାରୀମାନେ ସେମାନଙ୍କ ମତ ରଖିଥିଲେ। ଏଥିପାଇଁ ଅତିରିକ୍ତ ମାନକ ସମ୍ବଳ ପ୍ରଦାନ କରି ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଛନ୍ତି।

ଅନ୍ୟ ପକ୍ଷରେ କାର୍ଯ୍ୟାଳୟରେ ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ଯେପରିକି କାର୍ୟ୍ୟାଳୟରେ ସାମାଜିକ ଦୂରତ୍ୱ ଅବଲମ୍ବନ, ଗିରଫ, ଅନୁସନ୍ଧାନ ଓ ତଦନ୍ତ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା, କୋଭିଡ – ୧୯ ନିୟମକୁ କଡାକଡି ପ୍ରବର୍ତ୍ତନ କରିବା, ସଚେତନତା ସୃଷ୍ଟି କରିବା ଓ ଜନହିତୈଷୀ କାର୍ଯ୍ୟ କରିବା ପାଇଁ ସେ ପୁଲିସକୁ ପରାମର୍ଶ ଦେଇଛନ୍ତି। ଆଲୋଚନା ସମୟରେ ପୁଲିସ କର୍ମଚାରୀଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଥାନାଗୁଡିକରେ ଆବଶ୍ୟକ ସରଞ୍ଜାମ କିଣିବା ପାଇଁ ନିର୍ଭୟା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

Comments are closed.