“ମୋ ସରକାର” କାର୍ଯ୍ୟକ୍ରମ ପାଇଁ ତତ୍ପର ଆରକ୍ଷୀ ମହାନିର୍ଦ୍ଦେଶକ : ପୁଣି କଲେ ସମୀକ୍ଷା

0

କଟକ: ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ଅପରାହ୍ନରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ରାଜ୍ୟ ପୁଲିସ ମୁଖ୍ୟାଳୟ କଟକ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଲିସ କମିଶନର ,ରାଜ୍ୟର ସମସ୍ତ ରେଞ୍ଜ ଆଇ.ଜି ,ଡି.ଆଇ.ଜି ଓ ଜିଲ୍ଲା ଆରକ୍ଷୀ ଅଧିକକ୍ଷଙ୍କ ସହ ବୈଠକ କରି “ମୋ ସରକାର” କାର୍ଯ୍ୟକ୍ରମର ରୂପରେଖ ପାଇଁ ଜିଲ୍ଲା ଏବଂ ରେଜଂ ସ୍ତରରେ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ “ମୋ ସରକାର” କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରୁଥିବା ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ପୁରସ୍କାର ଲାଗୁ କରାଯିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ନାଗରିକଙ୍କୁ ଉଚିତ ବ୍ୟବହାର , ଆଚରଣ ଓ ଶିଷ୍ଟାଚାର ପଦର୍ଶନ କରୁଥିବା ପୁଲିସ ଅଧିକାରୀଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଡି.ଜି କହିଛନ୍ତି। ନାଗରିକଙ୍କୁ ଉପଯୁକ୍ତ ବ୍ୟବହାର କରୁନଥିବା ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏଠାରେ ସୂଚନାଯୋଗ୍ୟ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ପୁଲିସ କମିଶନରେଟ ଠାରେ ଅଗଷ୍ଟ ୩୧ ତାରିଖରେ ଆୟୋଜନ କରାଯାଇଥିଲା। ଯେଉଁ ଥିରେ ବିଭିନ୍ନ ଜିଲ୍ଲା ୩୫୦ରୁ ଉର୍ଦ୍ଧ ପୁଲିସ ଅଧିକାରୀ,କର୍ମଚାରୀ ଓ ମାଷ୍ଟର ଟ୍ରେନରଙ୍କୁ କଂପ୍ୟୁଟର ଜ୍ଞାନ କୌଶଳ , ପୁଲିସର ଆଚାର ବ୍ୟବହାର ପରିବର୍ତ୍ତନ ଓ କଲ ସେଣ୍ଟର ଗୁଡିକର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଚଳିତ ମାସର ପ୍ରଥମ ସପ୍ତାହରୁ ମଧ୍ୟ ରାଜ୍ୟର ସବୁ ପୁଲିସ ଜିଲ୍ଲା ମାନଙ୍କରେ ସେହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଥାନା ମାନଙ୍କରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରାଯାଉଛି। ଥାନା ମାନଙ୍କୁ ଆସୁଥିବା ନାଗରିକ ମାନଙ୍କ ମତାମତକୁ ଲିପିବଦ୍ଧ କରାଯିବାର ଏକ ସୁସଂଗଠିତ ବ୍ୟବସ୍ଥା ରାଜ୍ୟ ପୁଲିସ ଦ୍ୱାରା ବିକଶିତ କରାଯାଇଛି। ରାଜ୍ୟ ଅପାରାଧ ନଥି ସଂସ୍ଥା ଠାରେ ଏହି ରାଜ୍ୟସ୍ତରୀୟ କଲ ସେଣ୍ଟର ସ୍ଥାପନ କରାଯାଇଛି। ଏହି ସଂସ୍ଥା ଓଡିଶା ପୁଲିସର ମୋ ସରକାର କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ସେହିପର ଜିଲ୍ଲା ମାନଙ୍କରେ ଆରକ୍ଷୀ ଅଧିକକ୍ଷ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଲ ସେଣ୍ଟର ମାନ ପ୍ରତିଷ୍ଠା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଲ ସେଣ୍ଟର ସବୁ ସେପ୍ଟେମ୍ବର ୪ ତାରିଖରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲୋକଙ୍କ ଦ୍ୱାରା ଥାନାରେ ଦରଜ ହେଉଥିବା ଏତାଲା,ଅଭିଯୋଗ ଓ ଅନ୍ୟାନ୍ୟ ସେବା ମୂଳକ କାର୍ଯ୍ୟ ସଂବନ୍ଧୀୟ ତଥ୍ୟ କଲ ସେଣ୍ଟର ଗୁଡିକରେ ଅବସ୍ଥାପିତ ଡ୍ୟାସବୋର୍ଡ ରେ ପ୍ରତିଫଳିତ ହୋଇଥାଏ। ଏହା ମଧ୍ୟରୁ ଅଭିଯୋଗକାରୀଙ୍କ ଠାରୁ ସେମାନେ ପାଇଥିବା ସେବା ବାବଦରେ ମତାମତ ସଂଗ୍ରହ କରାଯାଏ। ଲୋକଙ୍କ ମତାମତକୁ ରେକର୍ଡିଂ କରାଯିବାର ବ୍ୟବସ୍ଥା କରାଯାଇଛି।

Leave A Reply