ରାଜ୍ୟ ସରକାରଙ୍କ ମୁଖପାତ୍ର ସାଜିଛନ୍ତି ପୁଲିସ ଡିଜି : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଚୋରା ଅଙ୍ଗତଷ୍କରୀର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ବିଜେପି ମୁଳରୁ ଦାବୀ କରି ଆସୁଛି । ମନ୍ତ୍ରୀ ପଦରେ ଥାଇ ଅରୁଣ ସାହୁ ତଦନ୍ତ ପ୍ରକ୍ରିୟାକୁ ବାଟମାରଣା କରିବାର ଆଶଙ୍କା ଥିବାରୁ ବିଧାନସଭା ଭିତରେ ଓ ବାହାରେ ବିଜେପି ଦାବୀ କରିଆସୁଛି । ଅନ୍ୟ ପଟେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ଜଜ୍‌ଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବେ ବୋଲି କହିଥିଲେ । ମାତ୍ର ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍‍ ନା କୈାଣସି ହାଇକୋର୍ଟ ଜଜ୍‍ଙ୍କ ଦ୍ୱାରା ତତ୍ୱବଧାନରେ ହେଉଛି ନା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ମନ୍ତବ୍ୟ ଦେଇଛନ୍ତି। ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବର୍ତମାନ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କ ଯୋଗ୍ୟତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଜୋର ଜବରଦସ୍ତ ଭାବେ ଏସଆଇଟିକୁ କୋର୍ଟ ମନିଟରିଂ ବୋଲି କହି କେବଳ ମିଛ କହୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଏସଆଇଟି ଏବେ ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ଗଞ୍ଜେଇ ବେପାରୀ ବାବୁଲି ନାୟକ ଓ ତାଙ୍କୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁକୁ ଛାଡି ଗୋଟେ ଯୁବକକୁ ଦୋଷୀ ବୋଲି ଦର୍ଶାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସଆଇଟି ମୁଖ୍ୟ ସେହି ଯୁବକକୁ ଜୋବରଦସ୍ତ ଭାବେ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଲାଂଚ ଯାଚିଥିବାର ପ୍ରକାଶ ପାଇଛି। ଏପରିକି ଦୋଷ ସ୍ୱୀକାର କଲେ ତାକୁ ନାବାଳକ ଦର୍ଶାଇ ଖସାଇ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଥିବାର ପ୍ରକାଶ ପାଇଛି। ଏଭଳି ସଙ୍ଗୀନ୍‍ ଅଭିଯୋଗ ଆସିବା ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବି ଏହି ପ୍ରସଙ୍ଗରେ ନିଜେ ଜଣେ ପକ୍ଷ ହୋଇଗଲେ। ତେଣୁ ଯିଏ ଏହି କେସ୍‍ରେ ଜଣେ ପାର୍ଟି ସେ ଏହି କେସ୍‍କୁ ତଦନ୍ତ କରିପାରିବ ନାହିଁ। ମାନ୍ୟତା ନଥିବା ଏସଆଇଟି ଯେଉଁଭଳି ଭାବରେ ଗିରଫ କରି ତଦନ୍ତକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ନେବା ପାଇଁ ଚେଷ୍ଟା କରୁଛି ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅତି ହୀନ କଥା ବୋଲି ଡ. ସାମନ୍ତସିଂହାର କହିଛନ୍ତି।
ପରୀର କପଡାରୁ ଡିଏନଏ ପରୀକ୍ଷା ଜରିଆରେ ଯଦି ହତ୍ୟାକାରୀକୁ ଗିରଫ କରିବାରେ ଏସଆଇଟି ଟିମ୍‍ ସଫଳ ହେଲା, ତାହେଲେ ଦୀର୍ଘ ୫ ମାସରୁ ଉର୍ଦ୍ଧ ଧରି ନୟାଗଡ ଜିଲ୍ଲା ପୋଲିସ, ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର କାହିଁକି ବାହାର କରିପାରିଲେ ନାହିଁ ? ଏସଆଇଟି ମୁଖ୍ୟ ଯୁବକକୁ ଟଙ୍କା ଲାଂଚ ଦେବା କଥା ଆସିବା ପରେ ଏସଆଇଟିର ମୁଖ୍ୟଙ୍କ ତଦନ୍ତ ପାଇଁ କୌଣସି ନୈତିକତା ନାହିଁ। ଯଦି ପୋଲିସ୍‍ କୌଣସି କାମ କରୁନି ଏବଂ ଏସଆଇଟି ଆସି ଦଶ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେଇଦେଲା, ତେବେ ନୟାଗଡ ଜିଲ୍ଲାର ସ୍ଥାନୀୟ ପୋଲିସ୍‍ ପଦାଧିକାରୀ ଓ ଏସପିଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଏସଆଇଟି ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଉପସ୍ଥାପନା କରିଥିବା ପୋଲିସ ଡିଜି ମଧ୍ୟ ଇସ୍ତଫା ଦେବା ଉଚିତ୍‍ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଗତକାଲି ପୋଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟର ବୋଲି କହିଛନ୍ତି। ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟା। ବନ୍ଦ ଲପାଫାରେ ସିଲ୍‍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ? ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ବୋଲାଓଥିବା ବାବୁଲା ନାୟକକୁ ଘଂଟ ଘୋଡାଇବା ଓ ସୁରକ୍ଷା ଦେବା ପାଇଁ ପୋଲିସ ବିଭାଗକୁ ବ୍ୟବହାର କରାଯାଉଛି। ପୋଲିସ ଡିଜି ଶାସକ ଦଳର ମୁଖପାତ୍ର ସାଜି ମୁଖ୍ୟ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବାର ପ୍ରୟାସ କରୁଛନ୍ତି। ନହେଲେ ଏଭଳି ଅସତ୍ୟ ପ୍ରେସ୍‍ ରିଲିଜ୍‍ କେବେ କେହି ଦିଏ ନାହିଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଓଡିଶା ସରକାର ପରୀ ଘଟଣାକୁ ନେଇ ଭୟଭୀତ ଅଛନ୍ତି। ଏହା କେବଳ ଛୋଟ ଶିଶୁର ହତ୍ୟା ନୁହେଁ ବରଂ ଏହା ପିଲା ଅପହରଣ, ଅଙ୍ଗତଷ୍କରୀ, ଚାଇଲଡ୍‍ ଟ୍ରାଫିଙ୍ଗ ଭଳି ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଘଟଣାର କେନ୍ଦ୍ରବିନ୍ଦୁ ସାଜିଥିବା ଶାସକ ବିଜୁ ଜନତା ଦଳକୁ ସୁରକ୍ଷା ପ୍ରଦାନ ଏବଂ ଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଯୋଜନା ରଚିଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି ଅସତ୍ୟ କହିବା ଏବଂ ଏସଆଇଟି ଓ ସ୍ଥାନୀୟ ପୋଲିସକୁ ସୁରକ୍ଷା ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

Comments are closed.