ଦୁଇଦିନ ପୁଲିସ ଉପାୟୁକ୍ତ କାର୍ଯ୍ୟାଳୟ ବନ୍ଦ

ଉତ୍ତରଭୁବନେଶ୍ବର/ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ପୁଣି ଫେରିଛି ଆବଦ୍ଧାଞ୍ଚଳ। ମଙ୍ଗଳବାର ବାଣୀବିହାରସ୍ଥିତ ପୁଲିସ ଉପାୟୁକ୍ତ (ଡିସିପି)ଙ୍କ କାର୍ଯ୍ୟାଳୟରୁ ୫ ପୁଲିସ କର୍ମଚାରୀ ସଂକ୍ରମିତ ଜଣାପଡ଼ିବା ପରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ବନ୍ଦ କରାଯାଇଛି। ଏଥିସହିତ ପରିସର ଆବଦ୍ଧାଞ୍ଚଳ ଘୋଷଣା ହୋଇଛି। କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନାଲ ଉପାଯୁକ୍ତ।
ଡିସିପି କାର୍ଯ୍ୟାଳୟରେ ସଂକ୍ରମିତ ଚିହ୍ନଟ ପରେ ପରିସର ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସଂକ୍ରମିତ ନିଜ ବାସସ୍ଥାନରେ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି। ଅବଶ୍ୟକସ୍ଥଳେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପାଇଁ ବିଏମ୍‌ସି ନିୟନ୍ତ୍ରଣ କକ୍ଷ(କଣ୍ଟ୍ରୋଲ ରୁମ୍‌) ମୋବାଇଲ: ୭୮୪୭୮୭୩୦୪୦ କିମ୍ବା ୧୯୨୯ ସହିତ ଯୋଗାଯୋଗ କରିବା ପାଇଁ ନିର୍ଦେଶନାମା ଜାରି ହୋଇଥିବା ଜୋନାଲ ଉପାୟୁକ୍ତ ମହେନ୍ଦ୍ର କୁମାର ବଢ଼େଇ କହିଛନ୍ତି। ଉକ୍ତ ସମୟ ମଧ୍ୟରେ ଜରୁରୀକାଳୀନ ଅଭିଯୋଗପତ୍ର କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ପକାଇବାକୁ ଅନୁରୋଧ କରାଯାଇଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନରେ କାୟା ମେଲାଉଛି କରୋନା। ଆଜି ଜଟଣୀସ୍ଥିତ ନାଇଜର ଶିକ୍ଷାନୁଷ୍ଠାନର ଗୋଟିଏ ବ୍ଲକରୁ ୩୧ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ନମୁନା ପରୀକ୍ଷା ହୋଇଛି। ତେବେ ସେମାନଙ୍କ ପରୀକ୍ଷା ବିବରଣୀ ବିଯୁକ୍ତାତ୍ମକ ଆସିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ଦେଇଛନ୍ତି ନାଇଜର କୁଳସଚିବ ଡ. ଅଭୟ ନାୟକ। ନାଇଜରରୁ ସଂକ୍ରମିତ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ସପ୍ତାହକ ଭିତରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୬୭୬ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ୨୯ ଡିସେମ୍ବରରେ ୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ସମୟରେ ସଂକ୍ରମଣ ହାର ବୃଦ୍ଧି ପାଉଛି। ୩୦ରେ ୭୯ଜଣ, ୩୧ରେ ୮୭ଜଣ, ଜାନୁଆରୀ ପହିଲାରେ ୧୧୨ଜଣ, ୨ରେ ୭୯ଜଣ, ୩ରେ ୯୧ଜଣ ସଂକ୍ରମିତ ବାହାରିଥିବା ବେଳେ ଆଜି ୧୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହାର ଦେଖିଲେ ରାଜଧାନୀରେ କରୋନା ଉପରମୁହାଁ ହେଉଛି। ସଙ୍ଗରୋଧ କେନ୍ଦ୍ର ଅପେକ୍ଷା ସ୍ଥାନୀୟ ସଂକ୍ରମିତ ଅଧିକ ବାହାରୁଛନ୍ତି। ଯାହାକି ଚିନ୍ତାଜନକ ବିଷୟ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Comments are closed.