ନାବାଳିକାଙ୍କୁ ବଳାତ୍କାର, କନଷ୍ଟେବଳ ଗିରଫ

ଭୁବନେଶ୍ବର : ରାଜଧାନୀରେ ଖାକିରେ କଳଙ୍କ। ରକ୍ଷକ ହୋଇ ଭକ୍ଷକ ସାଜିଲା ସଶସ୍ତ୍ର ବାହିନୀରେ ଚାକିରି କରିଥିବା କନଷ୍ଟେବଳ। ଜଣେ ନାବାଳିକାଙ୍କୁ ବଳାତ୍କାର ସହ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଭାଇରାଲ (ପ୍ରଘଟ) କରିଦେବା ଧମକ ଦେଇ ୫୦ହଜାର ଟଙ୍କା ଦାବି ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଶ୍ରୀଲିଙ୍ଗରାଜ ଥାନା ଅଧୀନ ରବି ଟକିଜ ଅଞ୍ଚଳରେ ଭଡ଼ାରେ ରହୁଥିବା ଗଜପତି ଜିଲାର ରଜନୀକାନ୍ତ ଗମାଙ୍ଗୋ। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ରବି ଟକିଜ ଅଞ୍ଚଳରେ ଅଭିଯୁକ୍ତ କନଷ୍ଟେବଳ ନାବାଳିକାଙ୍କ ଘର ପାଖେ ଭଡ଼ାରେ ରହିବା ସହ ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ତାଙ୍କ ସହ ୪ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଆସୁଥିଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ନାବାଳିକାଙ୍କୁ ବ୍ଲାକମେଲିଂ ଆରମ୍ଭ କରି ପଚାଶ ହଜାର ଟଙ୍କା ଦାବି କରିଥିଲା। ଶେଷରେ ନାବାଳିକା ଚାଇଲ୍ଡ ଲାଇନର ସହାୟତା ଲୋଡ଼ିଥିଲେ। ଚାଇଲ୍ଡ ଲାଇନ ସହାୟତାରେ ଗତକାଲି ମହିଳା ଥାନାରେ ଅଭିଯୋଗ ପରେ ମହିଳା ଥାନା ପୁଲିସ ଅଭିଯୁକ୍ତ କନ‌େ‌ଷ୍ଟବଳକୁ ଗିରଫ କରି ଅଦାଲତ ଚାଲାଣ କରିବା ସହ ନାବାଳିକାଙ୍କୁ ଡାକ୍ତରୀମାଇନା କରି ବୟାନ ରେକର୍ଡ କରିଛି।

Comments are closed.