ରାଷ୍ଟ୍ରପତି ଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରୁଥିବା ଜେଏନୟୁ ଛାତ୍ରଙ୍କୁ ଲାଠିମାଡ଼

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ଫି’ ବୃଦ୍ଧିକୁ ନେଇ ପୁଣି ଥରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ସୋମବାର ଜେଏନୟୁର ଛାତ୍ର ଏବଂ ଶିକ୍ଷକମାନେ ଫି ବୃଦ୍ଧି ପ୍ରତିବାଦରେ ସଂସଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ପୁଲିସଠାରୁ ଅନୁମତି ଲୋଡ଼ିଥିଲେ। କିନ୍ତୁ ପୁଲିସ ଅନୁମତି ନ ଦେବାରୁ ଶତାଧିକ ଛାତ୍ର ରାଷ୍ଟ୍ରପତି ଭବନ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ଫଳରେ ବାଧ୍ୟହୋଇ ପୁଲିସ ସେମାନଙ୍କୁ ଅଟକାଇବା ଲାଗି ଲାଠି ମାଡ଼ କରିଛି। ବିକ୍ଷୋଭକାରୀ ଛାତ୍ରମାନେ ସରୋଜିନୀ ନଗରଠାରେ ହୋଇଥିବାବେଳେ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଲାଠିମାଡ଼ କରିଥିଲେ। ଫଳରେ ଛାତ୍ରଙ୍କ ଶୋଭାଯାତ୍ରା ଭାଙ୍ଗିଯାଇଥିଲା।

ସୂଚନାଯୋଗ୍ୟ, ଛାତ୍ରମାନେ ବିକ୍ଷୋଭ ଶୋଭାଯାତ୍ରା ପାଇଁ ଅନୁମତି ମାଗିଥିବାବେଳେ ପ୍ରଶାସନ ମନା କରିଦେଇଥିଲା। ଅନ୍ୟପଟେ ଛାତ୍ରମାନଙ୍କୁ ଅଟକାଇବା ଲାଗି ଉଦ୍ୟୋଗ ଭବନ, କେନ୍ଦ୍ରୀୟ ସଚିବାଳୟ ଏବଂ ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଥିଲା। ଜେଏନୟୁ କ୍ୟାମ୍ପସ ବାହାରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କ୍ୟାମ୍ପସ ପରିସରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା।

Comments are closed.