ଛେଳି ଚୋରି କରି ଭୋଜି : ସିନ୍ଧେକେଲା ପୁଲିସ ଏଏସଆଇ ନିଲମ୍ବିତ

ବଲାଙ୍ଗିର/ବଙ୍ଗୋମୁଣ୍ଡା/ସୀନ୍ଧେକେଲା : ନୂଆ ବର୍ଷ ଜିଲା ପୁଲିସ ପାଇଁ ଅପବାଦ ଆଣିଦେଇଛି। ଯେଉଁ ପୁଲିସ ଲୋକଙ୍କ ଧନଜୀବନ ରକ୍ଷା ପାଇଁ ନିୟୋଜିତ, ସେହି ପୁଲିସ ବିରୋଧରେ ଛେଳି ଚୋରି ଅଭିଯୋଗ । ନୂଆ କରି ଥାନାରେ ଯୋଗଦେଇଥିବା ଥାନା ଅଧିକାରୀଙ୍କୁ ଆପ୍ୟାୟିତ ଓ ଖୁସି କରିବାକୁ ଯାଇ ଜିଲାର ସିନ୍ଧେକେଲା ଥାନାରେ ଏଭଳି ଛେଳି ଚୋରି ଘଟଣା ସାମ୍ନାକୁ ଆସିଛି। ଛେଳି ମାଲିକ ଅଭିଯୋଗ କରିବାରୁ ଥାନାରେ ତାଙ୍କୁ ପ୍ରଥମେ ନାଲି ଆଖି ଦେଖାଇ ଡରାଇବାକୁ ଉଦ୍ୟମ, ତାପରେ ମାମଲା ଜଟିଳ ହେଉଥିବାରୁ ବୁଝାମଣା ହୋଇଥିଲା । ଆଉ ଏହି ଖବରରେ ସତ୍ୟତା ଥିବା ଆରକ୍ଷୀ ଅଧିକ୍ଷକ ଜାଣିବା ପରେ ଥାନାର ଜଣେ ଏଏସଆଇଙ୍କୁ ନିଲମ୍ବିତ କରିଛନ୍ତି। କିନ୍ତୁ ସାଧାରଣ ଲୋକ ଛେଳି ଚୋରି କଲେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ଏଏସଆଇଙ୍କୁ ନିଲମ୍ବନ କରି ପୁଲିସ ମୁଖିଆ କାମ ଶେଷ କରିବେ ନା ତାଙ୍କ ନାଁରେ ମାମଲା ରୁଜୁ ହେବ ତାହା ଏବେ ସିନ୍ଧେକେଲା ଅଞ୍ଚଳରେ ଆଲୋଚନା ହେଉଛି। ବର୍ଷର ଶେଷ ଦିନ, ୨୦୨୧ ଡିସେମ୍ବର ୩୧। ସିନ୍ଧେକେଲା ଥାନାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସିନ୍ଧେକେଲା ଥାନାର ଏଏସଆଇ ସୁମନ ମଲ୍ଲିକ ଓ କିଛି କର୍ମଚାରୀ ଥାନା ପରିସରକୁ ଚରିବା ପାଇଁ ଆସିଥିବା ଦୁଇ ଗୋଟି ଛେଳିକୁ ଖାଇବା ପାଇଁ ଦେଇ କାବୁ କରି ନେଇଥିଲେ । ଭୋଜି ଭାତ କରି ଖାଇବା ପାଇଁ ଛେଳିକୁ  କାଟୁଥିବା ବେଳେ ଗୁରୁ ପଡାରେ ରହୁଥିବା ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଛେଳି ଖୋଜି ଖୋଜି ଥାନା ପଛପଟେ ଥିବା ଷ୍ଟାଫ କ୍ବାଟର ଆଡକୁ ଗଲା ବେଳେ ଛେଳି ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲେ । କଟା ଯାଉଥିବା ସ୍ଥାନକୁ ଯାଇ ଦେଖି ଏଇଟା ମୋ ଛେଳି କାହିଁକି କାଟୁଛନ୍ତି । ଆପଣକୁ ମୋ ଛେଳି କାଟିବା ପାଇଁ କିଏ କହିଲା ବୋଲି କହିବାରୁ ଛେଳି ମାଲିକଙ୍କୁ ଧକ୍କା ମାରିବା ସହ ସାର୍ଟର କଲର ଧରି ଥାନାରେ ପୂରାଇ ଦେବି ବୋଲି ଏଏସଆଇ ସୁମନ ମଲ୍ଲିକ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସିନ୍ଧେକେଲା ଥାନା ସାମ୍ନାରେ ଉତ୍ତେଜନା ଦେଖାଦେବା ସହ ଲୋକେ ଏପ୍ରକାର କାର୍ଯ୍ୟର ନିନ୍ଦା କରିବା ସହ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ଥାନା ସମ୍ମୁଖ ଲୋକାରଣ୍ୟ ହୋଇଯାଇଥିଲା। ତେବେ ପୁଲିସ ରାତିରେ ଛେଳି ମାଲିକ ଶ୍ରୀ ଗୁରୁଙ୍କୁ ପୁଲିସ ଗାଡିରେ ବସାଇ ଚାନ୍ଦୋତରା ଆଡକୁ ନେଇଯିବା ସହ କିଛି ସମୟ ପରେ ଫେରିଥିଲେ। ଥାନାରେ ବୁଝାମଣା ହୋଇଯାଇଥିବା କଥା ସାମ୍ନାକୁ ଆସିଥିଲା। ଶୂକ୍ରବାର ଥାନା ଅଧିକାରୀ ଆଲୋକ ବେହେରା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବୈଠକ ପାଇଁ ଆସିଥିଲେ। ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ଜାଣି ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରୱାଲ,  ସମାଜସେବୀ ଅନିଲ କୁମାର ତ୍ରିପାଠୀ , ଜିଲା ବିଜେପି ସମ୍ପାଦକ ଅନିଲ ନାଏକ ,ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ପହଞ୍ଚି ଥାନାଧିକାରୀ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ସେ ଥାନା ନାହାନ୍ତି ବୋଲି ସେମାନଙ୍କୁ ଫୋନରେ ଜଣାଇବା ସହ ସେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶନିବାର ବି ଉତ୍ତେଜନା କମିଥିଲା। ପରେ ଥାନା ଅଧିକାରୀ ଶ୍ରୀ ବେହେରା ଥାନାକୁ ପହଞ୍ଚି ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଓ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିବା ସହ ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିବାର ବର୍ଗ କିପରି ନ୍ୟାୟ ପାଇବାକୁ ଚାହୁଁଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପଚାରିଥିଲେ। ଛେଳି ମାଲିକଙ୍କ ପରିବାର ପକ୍ଷରୁ ଛେଳିର କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ତେବେ ଶନିବାର, ନୂଆ ବର୍ଷରେ ଏହି ଘଟଣା ଉପରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଜାଣିବା ପରେ ପ୍ରାଥମିକ ତଦନ୍ତ ପରେ  ଏଏସଆଇ ସୁମନ ମଲ୍ଲିକଙ୍କୁ  ନିଲମ୍ବିତ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଜିଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି।

Comments are closed.