ନବଯୌବନ ଦର୍ଶନରୁ ନୀଳାଦ୍ରି ବିଜେ ଯାଏ, କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର

ପୁଲିସର ରଥଯାତ୍ରା ପ୍ରସ୍ତୁତି

କଟକ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧ରେ ଅନୁଷ୍ଠିତ ହେବ। ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ଯୋଗୁଁ ୨ବର୍ଷ ପରେ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିବାର ସୁଯୋଗ ପାଇବେ। ଏଥର ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁକ୍ରବାର ପୁଲିସ ମୁଖ୍ୟାଳୟରେ ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିପରି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରାକୁ ସମାପନ କରାଯିବ, ନବଯୌବନ ଦର୍ଶନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଡିଜିପି ବଂଶଲ ଗୁରୁତ୍ବ ଦେଇଛନ୍ତି।
ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରା ଅନୁଯାୟୀ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ। ବିଶେଷକରି ନବଯୌବନ ଦର୍ଶନ, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେରେ ଅଧିକ ଜନ ସମାଗମ ହୁଏ। ଏହି ଦିନମାନଙ୍କରେ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଭାବେ ଦୃଷ୍ଟି ହେବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ମୁତାବକ ସୁରକ୍ଷା ବଳ ମୁତୟନ କରାଯିବା, ବରିଷ୍ଠ ଅଧିକାରୀମାନେ କାର୍ଯ୍ୟର ସୁପରିଚାଳନା କରିବା, ବୋମା ନିଷ୍କ୍ରିୟକାରୀ ଦଳ ଓ ଗୁଇନ୍ଦା ସକ୍ରିୟ ରହିବା, ଭିଭିଆଇପିଙ୍କ ସୁରକ୍ଷା, ଯାନବାହନ ପାର୍କିଂ, ସିସି କ୍ୟାମେରା ଓ ଲଗେଜ୍‌ ସ୍କାନର, ସମୁଦ୍ର ତଟ ପାଟ୍ରୋଲିଂ, ଟ୍ରାଫିକ୍‌ ବ୍ୟବସ୍ଥା, ପୁଲିସ ଆଉଟ୍‌ପୋଷ୍ଟ ଖୋଲାଯିବା ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ସ୍ବତନ୍ତ୍ର ଡିଜି (ଯୋଗାଯୋଗ), ଏଡିଜି (ରେଳବାଇ). ଏଡିଜି (ଏସଏପି). ଏଡିଜି (କ୍ରାଇମବ୍ରାଞ୍ଚ), ଏଡିଜି (ମଡର୍ଣ୍ଣାଇଜେସନ), ଆଇଜି (ଅପରେସନ), ଆଇଜି (ମୁଖ୍ୟାଳୟ, ପୁରୀ ଏସପି ଓ ବହୁ ବରିଷ୍ଠ ପୁଲିସ ଅଧିକାରୀଉପସ୍ଥିତ ଥିଲେ।

Comments are closed.