ବଡ଼ସାହି ଥାନାରେ ଆଇଆଇସି ନିଯୁକ୍ତି ପରିବର୍ତ୍ତେ ଅତିରିକ୍ତ ଦାୟିତ୍ୱରେ ଥିବା ଆଇଆଇସିଙ୍କ ବଦଳି

ବଡ଼ସାହି : ମୟୂରଭଞ୍ଜ ଜିଲାର ସର୍ବବୃହତ ଥାନା ବଡ଼ସାହିରେ ଦୀର୍ଘ ୨ମାସ ଧରି ଆଇଆଇସି ପଦ ଖାଲି ପଡ଼ିଛି। ଶିମିଳିପାଳ ପାଦଦେଶରୁ ପଡ଼ୋଶୀ ବାଲେଶ୍ୱର ପର୍ଯ୍ୟନ୍ତ ବିସ୍ତାରିତ ବଡ଼ସାହି ବ୍ଲକର ୨୮ଟି ପଞ୍ଚାୟତ ପାଇଁ ଏହି ଥାନା ସହିତ ଭୀମିଦା ଠାରେ ଏକ ବିଟହାଉସ ରହିଛି। ଉପକୂଳବର୍ତ୍ତୀ ଜିଲାର ଏହି ଅଞ୍ଚଳର ପରିସୀମା ଓ ଅପରାଧକୁ ବିଚାର କରି ୩ଟି ଥାନା ପ୍ରତିଷ୍ଠା ହେବା କଥା। ପରନ୍ତୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ସରଳତାର ସୁଯୋଗରେ ଦୀର୍ଘ ବର୍ଷ ଧରି ଗୃହ ବିଭାଗ ବଡ଼ସାହି ପ୍ରତି ଚରମ ଅବହେଳା କରିଆସୁଛନ୍ତି। ବଡ଼ସାହି ଓ ବାରିପଦା ବିଧାନସଭା କ୍ଷେତ୍ରରେ ଆସୁଥିବା ଏହି ବ୍ଲକ ବାଲେଶ୍ୱର ଓ ମୟୂରଭଞ୍ଜ ଲୋକସେବା ମଣ୍ଡଳୀ ଅଧୀନରେ ରହିଛି। ସବୁଥିରେ ବିଜେପିର ଜନପ୍ରତିନଧି ରହିଛନ୍ତି। ଫଳରେ ଶାସକ ବିଜେଡ଼ି ପକ୍ଷରୁ ବଡ଼ସାହି ବ୍ଲକକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଥିବା ଆଲୋଚନା ଏବେ ଜୋର ଧରିଲାଣି। ଅବ୍ୟବସ୍ଥା ପାଇଁ ବଡ଼ସାହି ବିଧାୟକ ସନାତନ ବିଜୁଳି ମୟୂରଭଞ୍ଜ ଏସପିଙ୍କୁ ଭେଟି ଅବଗତ କରିଥିଲେ। ଏସପି ମହାଶୟ ମଧ୍ୟ ୭ଦିନ ଭିତରେ ଆଇଆଇସି ନିଯୁକ୍ତି ପ୍ରତିଶୃତି ଦେଇଥିଲେ। ମାତ୍ର ୭ରୁ ୨୭ଦିନ ବିତି ଥିଲେ ହେଁ ପ୍ରତିଶୃତି ପାଣି ଫଟକା ପାଲଟିଛି।

ଅପରପକ୍ଷରେ ଦାୟିତ୍ୱରେ ଥିବା ବେତନଟୀ ଆଇଆଇସି ଅଶୋକ କୁମାର ନାୟକଙ୍କର ମଧ୍ୟ ବସ୍ତା ଥାନାକୁ ବଦଳି ହୋଇଛି। ଫଳରେ ବର୍ତ୍ତମାନ ଦୁଇଟି ଥାନାରେ ଆଇଆଇସି ପଦ ଖାଲି ପଡ଼ିଛି। ବେତନଟୀରେ ନୂତନ ଆଇଆଇସି ନିଯୁକ୍ତି ପର୍ଯ୍ୟନ୍ତ ମହିଳା ଇନିସ୍‍ପେକ୍ଟର ତିଳୋତ୍ତମା ରାଉତଙ୍କୁ ସାମୟିକ ଦାୟିତ୍ୱ ଦିଆଯାଇଛି। ୨୭ତାରିଖରେ ବାଲେଶ୍ୱର ଜିଲାର ଉନ୍ନତୀକରଣ ବୋର୍ଡ଼ର ସୁପାରିଶ କ୍ରମେ ବେତନଟୀ ଆଇଆଇସିଙ୍କୁ ବସ୍ତାକୁ ବଦଳି କରାଗଲା। ତେବେ ସମ୍ବେଦନଶୀଳ ୨-୨ଟି ଥାନା ଦାୟିତ୍ୱରେ ଥିବା ଏହି ଆଇଆଇସିଙ୍କୁ ଉପନିର୍ବାଚନର ଦ୍ୱାହି ଦେଇ ବାଲେଶ୍ୱର ଜିଲାକୁ ନେବା ସମୟରେ ତାଙ୍କର ବିକଳ୍ପ ଚିନ୍ତା କରିବାର ଥିଲା। ୨ମାସ ପୂର୍ବେ ଅନୁରୂପ ବଡ଼ସାହିର ତତ୍‍କାଳୀନ ଆଇଆଇସି ଜୟନ୍ତ କୁମାର ବେହେରାଙ୍କୁ ମୁଖ୍ୟାଳୟକୁ ପ୍ରତ୍ୟାହର କରାଯାଇ କ୍ରାଇମ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଯାହାର ସଠିକ କାରଣ ଜନସାଧାରଣ ଏବେ ବି ପାଉ ନାହାନ୍ତି। ମୟୂରଭଞ୍ଜ ଜିଲା ମୁଖ୍ୟାଳୟରେ ଅଫିସର ଥିବା ସତ୍ତ୍ବେ ୨ମାସ ଧରି ବଡ଼ସାହିରେ କାହାରିକୁ ନିଯୁକ୍ତି ଦିଆ ନଯାଇ ବେତନଟୀ ଆଇଆଇସିଙ୍କୁ ଅତିରିକ୍ତ ଦାୟିତ୍ୱରେ ରଖାଗଲା। ବର୍ତ୍ତମାନ ତାଙ୍କୁ ମଧ୍ୟ ବାଲେଶ୍ୱର ଜିଲାକୁ ନିଆଗଲା। ବର୍ଷକ ମଧ୍ୟରେ ବାରମ୍ବାର ଆଇଆଇସି ବଦଳ ଫଳରେ ଅଞ୍ଚଳରେ ଅପରାଧିମାନେ ସେମାନଙ୍କର ଜାଲ ବିଛାଇବା ସହଜ ହେଉଛି। ବଡ଼ସାହି ଥାନା ଅଞ୍ଚଳ ଏହି ୨ମାସର ରେକର୍ଡ଼କୁ ଅବଲୋକନ କଲେ ତାହା ସ୍ପଷ୍ଟ ହୋଇଯିବ। ଜିଲାର ଏସପି ବର୍ଷକ ମଧ୍ୟରେ ବଡ଼ସାହି ଥାନା ଆସିନାହାନ୍ତି। ପୂର୍ବର ଥାନା ପରିବେଶ ଓ ବର୍ତ୍ତମାନର ପରିବେଶ ନିଜେ ପରିଦର୍ଶନ କଲେ ସମସ୍ତ ଘଟଣା ଜାଣିପାରନ୍ତେ। ବିଦାୟୀ ଆଇଆଇସି ଜୟନ୍ତ ବେହେରା ଏହା ପୂର୍ବରୁ ୨-୨ଟି ଆଦର୍ଶ ଥାନାର ବିଶ୍ୱକର୍ମା ସାଜିଥିବା ବେଳେ ବଡ଼ସାହି ଥାନାକୁ ଆଦର୍ଶ ଥାନାର ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ବିରୋଧୀଙ୍କ ମନ୍ତ୍ରଣାରେ ବିଦାୟ ନେବାକୁ ପଡ଼ିଥିଲା। ବର୍ତ୍ତମାନ ବଡ଼ସାହି ଥାନାର ୬ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଜଣେ ସବଇନିସ୍‍ପେକ୍ଟର କରୋନାମୁକ୍ତ ପରେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି। ତାଙ୍କୁ ଛାଡ଼ିଦେଲେ ଥାନାର ଅନ୍ୟ ସମସ୍ତ ଅଫିସର ସଂଗରୋଧରେ। ଏଭଳି ସ୍ଥିତିରେ ବି ବଡ଼ସାହି ଥାନାରେ ଆଇଆଇସି ନିଯୁକ୍ତି ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ପଡ଼ୋଶୀ ବାଲେଶ୍ୱର ଜିଲାର ଏଷ୍ଟାବ୍ଲିସମେଣ୍ଟ ବୋର୍ଡ଼ର ସୁପାରିଶ କ୍ରମେ ୨-୨ଟି ଥାନା ଦାୟିତ୍ୱରେ ଥିବା ଦକ୍ଷ ବେତନଟୀ ଆଇଆଇସିଙ୍କୁ ମୟୂରଭଞ୍ଜ ଜିଲାରୁ ଯିବାକୁ ପଡୁଥିବା ବେଳେ ମୟୂରଭଞ୍ଜ ଜିଲାର ଏଷ୍ଟାବ୍ଲିସମେଣ୍ଟ ବୋର୍ଡ଼ ଅଛିକି ନାହିଁ ତାହା ଏବେ ପ୍ରଶ୍ନର ବିଷୟ। ଉଚ୍ଚ କତ୍ତୃପକ୍ଷଙ୍କ ଏପରି ହେୟ ମନଭାବ ପାଇଁ ଅଞ୍ଚଳବାସୀ ତ୍ୱରିତ ନ୍ୟାୟ ପାଇଁ ବଞ୍ଚିତ ହେଉଛନ୍ତି। ଯାହାକୁ କେନ୍ଦ୍ର କରି ଜନଅସନ୍ତୋଷ ବୃଦ୍ଧି ପାଇଲାଣି। ଅସନ୍ତୋଷ ଆନ୍ଦୋଳନ ରୂପ ନେବା ପୂର୍ବ ଗୃହ ବିଭାଗ ଯତ୍ନବାନ ନହେଲେ ପରବର୍ତ୍ତୀ ସମୟରେ ଶାସକ ଦଳ ଆକ୍ରୋଶର ଶିକାର ହେବାହିଁ ସାର ହେବ।

Comments are closed.