ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କମାଣ୍ଡୋଙ୍କୁ ନାଇଟ କ୍ଲବରେ ଗୁଳି କରି ହତ୍ୟା

ମୋହାଲି . – ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ପୁଲିସ କମାଣ୍ଡୋଙ୍କୁ ଏକ ନାଇଟ କ୍ଲବରେ ଗୁଳି କରି ହତ୍ୟା କରାଯାଇଛି । ମୃତ ପୁଲିସ କମାଣ୍ଡୋଙ୍କ ନାମ ସୁଖବିନ୍ଦର କୁମାର । ତାଙ୍କୁ ୨୩ ବର୍ଷ । ୨୦୧୭ ମସିହାରେ ସେ ପୁଲିସ ବିଭାଗରେ ଯୋଗ ଦେଇଥିଲେ ।

ମୋହାଲିରେଥିବା ଓ୍ୱାକିଂ ଷ୍ଟ୍ରିଟ୍‌ ନାମକ ନାଇଟ କ୍ଲବରେ ସୁଖବିନ୍ଦର ୫ ଜଣ ସାଙ୍ଗଙ୍କ ସହ ଯାଇଥିଲେ । ଏତିକି ବେଳେ ଆଉ ଏକ ଦଳ ସହ ସେମାନଙ୍କର ଝଗଡା ହୋଇଥିଲା । ମାରପିଟ୍‌ ହେବାରୁ ସେଠାରେ ଥିବା ବାଉନସର୍‌ମାନେ ଦୁଇ ଦଳକୁ ବାହାରକୁ କାଢି ଦେଇଥିଲେ ।

ପରେ ନାଇଟ କ୍ଲବ ବାହାରେ ପୁଣି ଦୁଇ ଦଳଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏତିକି ବେଳେ ଚରଣଜିତ୍‌ ନାମକ ଅଭିଯୁକ୍ତ ନିଜ ଅଡି କାରରୁ ଏକ ବନ୍ଧୁକ କାଢି ଅତି ନିକଟରୁ ସୁଖବିନ୍ଦରଙ୍କୁ ଗୁଳି କରିଥିଲା । ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅଭିଯୁକ୍ତ ସେଠାରୁ ଅଡି କାରରେ ଫେରାର ହୋଇଯାଇଥିଲା ।

ପୁଲିସ ଏହି ଘଟଣାପରେ ଅଭିଯୁକ୍ତର ବାନ୍ଧବୀ ସହ ନାଇଟକ୍ଲବର ମାଲିକଙ୍କୁ ଅଟକ ରଖିଛି ।ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.