ବଂଶଧାରା ଜଳବିବାଦ ଶୁଣାଣି ୮ରେ : ଜଳସମ୍ପଦ ମନ୍ତ୍ରୀ

ନେରେଡି ଓ ଝଞ୍ଜାବତୀ ପ୍ରକଳ୍ପ ପାଇଁ ୩୫ ଗାଁର ଲୋକେ ପ୍ରଭାବିତ

ଭୁବନେଶ୍ବର : ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ, ଗୋଟ୍ଟା ପ୍ରସ୍ତାବିତ ନେରେଡି ଓ ଝଞ୍ଜାବତୀ ପ୍ରକଳ୍ପ ପାଇଁ ଓଡ଼ିଶାର ୩୫ଗ୍ରାମର ଲୋକେ ପ୍ରଭାବିତ। ବଂଶଧାରା ଜଳ ବିବାଦ ଟ୍ରାଇବୁନାଲ ରାୟକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ୨୦୧୮, ୨୦୧୯ ଓ ୨୦୨୧ରେ ତିନୋଟି ସ୍ବତନ୍ତ୍ର ଆବେଦନ (ଏସଏଲପି)ଦାଏର ହୋଇଛି। ଚଳିତମାସ ୮ତାରିଖରେ ଏହାର ଶୁଣାଣି ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦର୍ଶାଇଛନ୍ତି। ଗୁରୁବାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ଜଳ ଆୟୋଗ ୨୦୦୬ରେ ପୋଲାଭରମ ପ୍ରକଳ୍ପର ବନ୍ୟା ପରିମାଣକୁ ୩୬ ଲକ୍ଷ କ୍ୟୁସେକ ରୁ ୫୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ସଂଶୋଧନ କରିଛନ୍ତି। ପ୍ରକଳ୍ପର ବନ୍ୟା ପରିମାଣ ୫୦ ଲକ୍ଷ କ୍ୟୁସେକ ହେଲେ ମାଲକାନଗିରି ଜିଲାରେ ୨୫ଟି ଗ୍ରାମ ଓ ୬୯୨୩ ଜନସଂଖ୍ୟା ପ୍ରଭାବିତ ହେବା ସହିତ ୬୭୭୧ ହେକ୍ଟର ଚାଷ ଜମି ଓ ୩୪୬୯ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହେବାର ଆଶଙ୍କା ଅଛି। ସେହିପରି ଗୋଟ୍ଟା ସେତୁ ସମ୍ପୂର୍ଣ ଭାବେ ଆନ୍ଧ୍ର ପ୍ରଦେଶ ରେ ଅବସ୍ଥିତ ଓ ଏଥିଯୋଗୁ ଓଡିଶାର କୌଣସି ଗ୍ରାମବାସୀ ବିସ୍ଥାପିତ ହେଉ ନାହାନ୍ତି । ଆନ୍ଧ୍ରପ୍ରଦେଶର ଶେଷ ବିସ୍ତୃତ ପ୍ରକଳ୍ପ ବିବରଣୀ ଅନୁଯାୟୀ, ନେରେଡି ବ୍ୟାରେଜ ନିର୍ମାଣ ହେତୁ ଓଡିଶା ଅଞ୍ଚଳରେ ଜଳମଗ୍ନତାକୁ ଏଡାଇବା ପାଇଁ ବନ୍ୟା ସୁରକ୍ଷା ପ୍ରାଚୀରର ଆବଶ୍ୟକତା ଓ ସେତୁ ନିର୍ମାଣ ଲାଗି ଓଡ଼ିଶାର ଗଜପତି ଜିଲାର ୧୩୨୬ ଏକର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଝଞ୍ଜାବତୀ ନଦୀ ବନ୍ଧ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ରେ ୧୦ଟି ଗ୍ରାମ ସହିତ ୧୧୭୫ ଏକର ଜମି ପ୍ରଭାବିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି।

Comments are closed.