ପୋଲାଭରମ ପ୍ରକଳ୍ପ ବିବାଦ : ବୈଷୟିକ କମିଟି ସୁପାରିସକୁ ଓଡ଼ିଶା ସରକାରଙ୍କ ବିରୋଧ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜବାବ ତଲବ, ଚାରି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ସମ୍ଭାବିତ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼଼ ଓ ତେଲେଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ନିମନ୍ତେ ବୈଷୟିକ କମିଟିର ସୁପାରିସକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ମାମଲାର ଶୁଣାଣି କରି ବିଚାରପତି ଅବଦୁଲ ଏସ ନଜିର ଓ ବିଚାରପତି କୃଷ୍ଣମୂରାରୀଙ୍କ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ଜବାବ ତଲବ (ନୋଟିସ) କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନୋଟିସ ଅନୁଯାୟୀ ତେଲେଙ୍ଗାନା ସରକାର ଓ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ରେ ଆବେଦନକାରୀ ପରିବେଶବିତ ପି ସୁଧାକର ରେଡ୍ଡି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବେ। ଏଥିସହ ପୋଲାଭରମ ବିବାଦ ନେଇ ନ୍ୟାୟାଳୟରେ ବିଚାରାଧିନ ଓଡ଼ିଶା ସରକାରଙ୍କ ମୂଳ ମାମଲା (ଓରିଜିନାଲ ସୁଟ) ସହ ଏହି ମାମଲାର ଏକତ୍ର ଶୁଣାଣି କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ୧୮ ସେପ୍‍ଟେମ୍ବର ୨୦୨୦ ଶୁଣାଣିରେ ପଛୁଆ ଜଳ ଯୋଗୁଁ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଜଳବୁଡ଼ି ସମସ୍ୟାର ନିରାକରଣ ପାଇଁ ଏକ ମାସ ମଧ୍ୟରେ ପ୍ରଭାବିତ ରାଜ୍ୟ ଏବଂ ଅନ୍ୟାନ୍ୟ ପକ୍ଷ ମିଳିତ ଭାବେ ଆଲୋଚନା ପାଇଁ ଏନଜିଟି ନିର୍ଦେଶ ଜାରି କରିଥିଲେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ସମନ୍ୱୟକାରୀ ଭୂମିକା ତୁଲାଇବେ ଏବଂ ଏହି ଆଲୋଚନା ପ୍ରତ୍ୟକ୍ଷ ଅଥବା ଆଭାସି ମାଧ୍ୟମରେ ହୋଇପାରିବ ବୋଲି ଏନଜିଟିର ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଓଡ଼ିଶା, ଛତିଶଗଡ଼଼, ତେଲେଙ୍ଗାନା ସହ ଆନ୍ଧ୍ର ପ୍ରଦେଶ, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ, କେନ୍ଦ୍ରୀୟ ଜଳ ଆୟୋଗ ଓ ଗୋଦାବରୀ ଜଳ ବିବାଦ ପ୍ରାଧିକରଣ ମିଳିତ ଭାବେ ବୈଠକ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କମିଟି ସୁପାରିସ କରିଥିଲା। ଏନଜିଟିଙ୍କ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ବୈଠକରେ ଓଡ଼ିଶା ସରକାର ଅନୁପସ୍ଥିତ ରହି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଆଗତ କରିଥିଲେ। ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦର୍ଶାଯାଇଛି ଯେ ଏନଜିଟିରେ ମାମଲାର ଶୁଣାଣି ବେଳେ ଓଡ଼ିଶା ସରକାର ପକ୍ଷଭୁକ୍ତ ନ ଥିଲେ।

Comments are closed.