ପୋଲାଭରମ ପ୍ରକଳ୍ପ : କ୍ଷୟକ୍ଷତିର ଆକଳନ ପାଇଁ  ନିର୍ବାହୀ ଯନ୍ତ୍ରୀଙ୍କ ସର୍ଭେ ଅଞ୍ଚଳ ପରିଦର୍ଶନ

0

ମାଲକାନଗିରି :  ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲକାନଗିରିରେ କ୍ଷୟକ୍ଷତିର ଆକଳନ ପାଇଁ  ରବିବାର ଏମଭି ୭୯ ପୋଟେରୁ ଜଳ ସମ୍ପଦ ପ୍ରକଲ୍ପର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।  ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଧାନ  ଆଜି ସର୍ଭେର ବିଭିନ୍ନ ପଏଣ୍ଟ ମାନ ଦେଖି ଛନ୍ତି । ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ  ଏକ ୫ ଜଣିଆ  ଦଳ ମୋଟୁ ଓ  ପ୍ରଭାବିତ ଅଞ୍ଚଳ ଗ୍ରସ୍ତ କରି ପୂର୍ବରୁ ସର୍ଭେ କରାଯାଇ ପଏଣ୍ଟ କରା ଯାଇଥିବା ସ୍ଥାନ ମାନ ବୁଲି ଦେଖିଥିଲେ। ଆଜି ତାଙ୍କ ସହ ଯନ୍ତ୍ରୀ ଏଲ୍ ଏନ୍ ନାୟକ, ଓ ଭୁବନେଶ୍ଵର ରୁ ଆସିଥିବା କାର୍ଡ କନସଲଣ୍ଟାଟର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଆଜକୁ ମାସେ ପୂର୍ବେ  ଜଳସମ୍ପଦ  ବିଭାଗ ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ଆକଳନ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲା। ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଦ୍ୱାରା ମୋଟୁ ଅଂଚଳର ୨୦ଟି ଗାଁରେ ଅନୁଧ୍ୟାନ ଚାଲିଥିଲା । ଗୋଟିଏ ପଟେ ମହାନଦୀ ବିବାଦ, ଅନ୍ୟପଟେ ପୋଲାଭରମ ପ୍ରକଳ୍ପ । ପଶ୍ଚିମରେ ଛତିଶଗଡ ତ’ ଦକ୍ଷିଣରେ ଆନ୍ଧ୍ରର ଦାଦାଗିରି । ଉଭୟ ମହାନଦୀ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଓଡିଶାର କ୍ଷତି ହେବ କୁହାଯାଉଥିଲେ ମଧ୍ୟ ପ୍ରକୃତରେ କେତେ କ୍ଷତି ହେବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିଲା । ଏହାକୁ ଆଖି ଆଗରେ ରଖି ପୋଲାଭରମ ପ୍ରକଳ୍ପ ଦ୍ୱାରା କେତେ କ୍ଷତି ହେବ ସେ ନେଇ ସର୍ଭେ କାମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ପୋଲାଭରମ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲ୍ଲାରେ ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ପାଇଁ ବିଧିବଦ୍ଧ ସର୍ଭେ ଆରମ୍ଭ ହୋଇଥିଲା।

ମାଲକାନଗିରି ଜିଲ୍ଳା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ତତ୍ୱାବଧାନରେ ୨୦ଜଣ ସଦସ୍ୟଙ୍କୁ ନେଇ ୪ଟି ଟିମ୍ ଗଠନ କରି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା।  ୨୦ ଦିନ ଧରି ଏହି ସର୍ଭେ ଚାଲିଥିଲା । ମୋଟୁ ଅଂଚଳର ୨୦ଟି ଗାଁରେ ଅନୁଧ୍ୟାନ କରିଛନ୍ତି ଅନୁଧ୍ୟାନକାରୀ ଦଳ ଓ ରାଜ୍ୟ ସରକାରଙ୍କୁ ଏକ ପ୍ରାଥମିକ ରିପୋର୍ଟ୍ ମଧ୍ୟ ଦେଇଛନ୍ତି। ପୂର୍ବରୁ ମାଲକାନଗିରି ମୋଟୁ ଅଂଚଳର ୩ଟି ଗ୍ରାମପଂଚାୟତର ୨୦ରୁ ୨୫ଟି ଗାଁ ଜଳ ମଗ୍ନ ହେବ ବୋଲି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି। ଏହା ଦ୍ୱାରା ୨୦ରୁ ୨୫ ହଜାର ହେକ୍ଟର ଜଙ୍ଗଲ ଓ ଚାଷ ଜମି ଜଳମଗ୍ନ ହେବ ବୋଲି ମଧ୍ୟ କୁହାଯାଉଥିଲା । ପୋଲାଭରମ ପ୍ରକଳ୍ପ ଦ୍ୱାରା ରାଜ୍ୟର କେତେ କ୍ଷତି ହେବ ଏହି ସର୍ଭେରୁ  ଶେଷ ପର୍ଯ୍ୟାୟରେ ସ୍ପଷ୍ଟ ହୋଇ ପାରିବ।

Leave A Reply