ପିଓକେ ଆମର, ପିଓକେବାସୀ ମଧ୍ୟ ଆମର

ନୂଆଦିଲ୍ଲୀ: ସୋମବାର ଦିନ ୧୧ଟାରୁ ସଂସଦର ଲୋକସଭାରେ ଆରମ୍ଭ ହୋଇଥିବା ନାଗରିକତା ସଂଶୋଧନ ବିଧେୟକ ଉପରେ ଆଲୋଚନା ଜାରି ରହିଛି। ଆଲୋଚନା କାଳରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ପାକ ଅଧିକୃତ କାଶ୍ମୀର ଆମର ଓ ସେଠାରେ ବସବାସ କରୁଥିବା ଜନସାଧାରଣ ବି ଆମର। ସେମାନଙ୍କ ପାଇଁ ଏବେ ବି ଜାମ୍ମୁ କାଶ୍ମୀର ବିଧାନସଭାରେ ୨୪ଟି ଆସନ ସଂରକ୍ଷିତ ରହିଛି ବୋଲି ଅମିତ କହିଛନ୍ତି।

ଏହି ସଂଶୋଧନ ବିଧେୟକଙ୍କୁ ବିରୋଧ କରୁଥିବା ବିରୋଧୀମାନଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଶାହା କହିଛନ୍ତି ଯେ ଯେଉଁ ଶରଣାର୍ଥୀ ଯନ୍ତ୍ରଣା ଓ କଷ୍ଟ ସହି ଆମ ଦେଶକୁ ଆସି ଆଶ୍ରୟ ନେଇଛନ୍ତି, ସେମାନେ ଅନୁପ୍ରବେଶକାରୀ ନୁହନ୍ତି। ଭାରତରେ ୧୯୫୧ରେ ୮୪ ପ୍ରତିଶତ ହିନ୍ଦୁ ଥିଲେ କିନ୍ତୁ ୨୦୧୧ରେ ସେଥିରେ ୫ ପ୍ରତିଶତ ହ୍ରାସ ହୋଇ ୮୪ ପ୍ରତିଶତ ରହିଛି। ସେ କହିଛନ୍ତି, ୧୯୫୧ରେ ମୁସଲମାନଙ୍କ ସଂଖ୍ୟା ୯.୮ ପ୍ରତିଶତ ଥିଲା ବେଳେ ଆଜି ତାହା ୧୪.୨୩ ପ୍ରତିଶତରେ ପହଂଚିଛି। ତେଣୁ ଧର୍ମକୁ ଆଧାର କରି ନାଗରିକତା ବିଧେୟକ ଉପସ୍ଥାପନ କରାଯାଉଛି ବୋଲି ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଆଧାରହୀନ ବୋଲି ସେ କହିଛନ୍ତି। ଶାହା ଜୋର ଦେଇ ସଦନରେ କହିଛନ୍ତି, ପଡୋଶୀ ଦେଶରେ ଲୋକମାନଙ୍କୁ କଷ୍ଟ ଦିଆଗଲେ, ଭାରତ ଦର୍ଶକ ହୋଇ ରହିବ ନାହିଁ, ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବ।

Comments are closed.