ପିଏନ୍‌ବିରେ ପୁଣି ଠକେଇ, ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜର ୬ ହଜାର ​କୋଟି ଠକେଇ ପର୍ଦାଫାସ

ମୁମ୍ବଇ: ହୀରା ବ୍ୟବସାୟୀ ତଥା ପଳାତକ ନିରବ ​ମୋଦୀଙ୍କ ଦ୍ବାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ଠକେଇ ପରେ ଏବେ ​ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଛଅ ହଜାର ​କୋଟି ଟଙ୍କାର ବଡ ବ୍ୟାଙ୍କ ଠକେଇ ଘଟଣାର ପର୍ଦାଫାସ ହୋଇଛି। ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଏସ୍‌ଆଇଏଲ୍‌) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଏହି ଛଅ ହଜାର ​କୋଟି ଟଙ୍କାର ଚୂନ ଲଗାଇଛି। ତେବେ କୌତୂହଳର ବିଷୟ ହେଉଛି ନିରବ ​ମୋଦୀଙ୍କ ଦ୍ବାରା ୧୨ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଠକେଇର ଶିକାର ହେବା ପରେ ମଧ୍ୟ ପିଏନ୍‌ବି କର୍ତ୍ତୃପକ୍ଷଙ୍କ ଚେତା ପଶିନି। ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ ଦ୍ବାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହୋଇଥିବା ଋଣ ଠକେଇରେ ପିଏନ୍‌ବିର ୧୨ ଶହ ​କୋଟିରୁ ଅଧିକ ଟଙ୍କା ଫସି ରହିଥିବା ଜଣାଯାଇଛି। ଏହାର ଅର୍ଥ ପିଏନ୍‌ବିରେ ପୁନର୍ବାର ୧୨୦୩ ​କୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି।

ପିଏନ୍‌ବି ପକ୍ଷରୁ ଏହି ୧୨୦୩ କପଟୀ ଟଙ୍କାକୁ ଅଣକାର୍ୟ୍ୟକାରୀ ସମ୍ପତ୍ତିି (ଏନ୍‌ପିଏ) ଶ୍ରେଣୀଭୁକ୍ତ କରାଯାଇଛି। ଏହି ଅର୍ଥକୁ ବ୍ୟାଙ୍କ ଠକେଇ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ପିଏନ୍‌ବି ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଏସ୍‌ଆଇଏଲର ଏହି ଠକେଇ ସମ୍ପର୍କରେ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ମଧ୍ୟ ସୂଚିତ କରିଥିବା ଜଣାଯାଇଛି। ପିଏନ୍‌ବି ବ୍ୟତୀତ ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ର ଏହି ୬ ହଜାର ​କୋଟି ଟଙ୍କାର ଠକେଇରେ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୭୬ କୋଟି ଟଙ୍କା, ଦେନା ଏବଂ ବିଜୟା ବ୍ୟାଙ୍କର ୯୪୯ କୋଟି ଟଙ୍କା, ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୩୭୧ ​‌େ​‌କାଟି ଟଙ୍କା (ଆନ୍ଧ୍ର ବ୍ୟାଙ୍କର ଋଣକୁ ଏଥିରେ ମିଶାଇଲେ ୬୧୨ କୋଟି ଟଙ୍କା), କାନାରା ବ୍ୟାଙ୍କର ୪୭୨ ​କୋଟି, ଏକ୍ସିମ୍‌ ବ୍ୟାଙ୍କର ୪୧୬ କୋଟି, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କର ୩୩୩ ​କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୩୧୫ କୋଟି, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ୩୦୦ ​କୋଟି, ଆନ୍ଧ୍ର ବ୍ୟାଙ୍କର ୨୫୦ କେ‌ାଟି, କର୍ଣ୍ଣାଟକ ବ୍ୟାଙ୍କର ୧୦୦ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କର ୯୨ କୋଟି ଟଙ୍କାର ଋଣ ଅର୍ଥ ଫସି ରହିଛି।

ଆହୁରି ମଧ୍ୟ ଏହି ଠକେଇରେ ଏସ୍‌ବିଆଇର ପାଖାପାଖି ୧୫୦ ​କୋଟି ଏବଂ କର୍ଣ୍ଣାଟକ ବ୍ୟାଙ୍କର ୧୦୦ କୋଟି ଋଣ ଅର୍ଥ ସାମିଲ। ୨୦୧୯ ଜୁନ୍‌ ୭ରେ ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ୧୦୭୮ କୋଟି ଟଙ୍କାର ଦେବାଳିଆ ପ୍ରକ୍ରିୟା ଆରମ୍ଭ ନେଇ ଯେଉଁ ରିଜୋଲ୍ୟୁସନ୍ ପ୍ଲାନ୍‌ ଆର୍‌ବିଆଇ ନିକଟରେ ଦାଖଲ କରାଯାଇଥିଲା ତାହା ଅଗ୍ରାହ୍ୟ ହୋଇଯାଇଥିବା ନେଇ ପିଏନ୍‌ବି ପକ୍ଷରୁ ଜାତୀୟ କମ୍ପାନୀ ଆଇନ ଟ୍ରାଇବୁନାଲଙ୍କ ନିକଟରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ସିଣ୍ଟେକ୍ସ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏ ନେଇ ଅବଗତ କରାଯିବା ପରେ ଠକେଇ ଘଟଣା ପଦାକୁ ଆସିଥିଲା। ଏହାପରେ ରେଟିଂ ଏଜେନ୍ସି ସିଣ୍ଟେକ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଋଣ ଖିଲାପକାରୀ ଭାବେ ତାଲିକାଭୁକ୍ତ କରିଥିଲା। ତେବେ କମ୍ପାନୀ ୨୦୧୯ ମେ’ଠାରୁ ଏ ନେଇ ରେଟିଂ ଏଜେନ୍ସିକୁ ସହଯୋଗ କରିବା ବନ୍ଦ କରିଦେଇଥିଲା।

Comments are closed.