ହାଇଫାଇ ଚୋର : ଏଟିଏମ୍‌ ଲୁଟି ଭାରତ ଭ୍ରମଣ

ଭୁବନେଶ୍ବର : ଇନ୍ଫୋସିଟି ଥାନା ଅଧୀନ ପିଏନ୍‌ବି ବ୍ୟାଙ୍କ ଶାଖା ପାଖରେ ଥିବା ଏଟିଏମ୍‌କୁ କାଟି ସେଥିରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଏକ ହାଇଫାଇ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ଦୀର୍ଘ ୨୫ ଦିନ ପରେ କମିସନରେଟ୍‌ ପୁଲିସ ଠାବ କରିବାରେ ସକ୍ଷମ ହୋଇଛି। ଏହି ଦୁଇ ଜଣିଆ ଗ୍ୟାଙ୍ଗର ସଦସ୍ୟ ବିଶାଖାପାଟଣାରେ ସମାନ ଉପାୟରେ ଏକ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ କରିବା ବେଳେ ପୁଲିସ ହାତରେ ଧରାପଡିଥିଲେ। ସେମାନେ ହେଲେ ପଞ୍ଜାବର ସମରଜିତ ସିଂହ(୩୫) ଏବଂ କେରଳର ଜାଫର ସିଦ୍ଦିକ ଏଭି(୨୮)।

ଏହି ଦୁଇ ଜଣିଆ ଗ୍ୟାଙ୍ଗ ଓଡ଼ିଶା ସମେତ ବେଙ୍ଗାଲୁରୁ, ହାଇଦ୍ରାବାଦ, ବିଶାଖାପାଟଣା ଓ ଦିଲ୍ଲୀରେ ସମାନ ଭାବେ ଏଟିଏମ୍ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ। ପିଏନ୍‌ବି ଏଟିଏମ୍‌ରୁ ଟଙ୍କା ଲୁଟିବା ପରେ ଏହି ଦୁଇ ଜଣ ୧୧ ତାରିଖ ଭୋର୍‌ରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀ ପଳାଇଥିଲେ। ପରେ ସେଠାରୁ ଦୁହେଁ ଚଣ୍ଡିଗଡ଼ ପଳାଇଥିଲେ। ଚଣ୍ଡିଗଡ଼ର ସେମାନେ ବିମାନରେ ବେଙ୍ଗାଲୁର, ବେଙ୍ଗାଲୁରରୁ ବିମାନରେ ବିଶାଖାପାଟଣା ପଳାଇଯାଇ ସେଠାରେ ଏଟିଏମ୍‌ ଲୁଟ୍‌ କରି ବିମାନରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବିମାନବନ୍ଦରରେ ଧରାପଡିଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିସନର କହିଛନ୍ତି, ରାଜଧାନୀରେ ପୂର୍ବରୁ ଏଭଳି ଧରଣର ଏଟିଏମ୍‌ ଲୁଟ୍‌ ହୋଇ ନ ଥିଲା। ତେବେ ଅକ୍ଟୋବର ୧୦ ତାରିଖ ରାତିରେ ଘଟିଥିବା ଏଭଳି ଲୁଟ୍‌ର ଘଟଣାସ୍ଥଳକୁ ସେ ୧୧ ତାରିଖରେ ଯାଇଥି‌େଲ। ଏହା ବୃତ୍ତିଗତ ଅପରାଧୀ ଏବଂ ଅନ୍ତଃରାଜ୍ୟ ଅପରାଧୀଙ୍କର ବୋଲି ଜଣାପଡିଥିଲା। ତେବେ ଘଟଣାସ୍ଥଳରୁ ପୁଲିସକୁ ସେଭଳି କିଛି ସୁରାକ୍‌ ମିଳି ନ ଥିଲା। ଏଟିଏମ୍‌ର ଗତ କିଛି ଦିନ ହେବ ବନ୍ଦ ପଡ଼ିଥିବାରୁ ଏହାର କ୍ୟାମେରା ଅସ୍ପଷ୍ଟ ଫଟୋ ମିଳିଥିଲା। ଅପରାଧୀମାନେ ଏଟିଏମ୍‌ ଭିତରେ ଗ୍ୟାସ୍‌ କଟର ମେସିନ୍‌ ଆଦି ଛାଡି ପଳାଇଥିଲେ। ତେବେ ଏହି ମାମଲାର ତଦନ୍ତ ଦାୟିତ୍ବ ସ୍ପେଶାଲ୍‌ ସ୍କ୍ବାଡ୍‌ ନେଇଥିଲା। ସ୍ପେଶାଲ୍‌ ସ୍କ୍ବାଡ୍‌ର ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍‌ ଏକାଧିକ ରାଜ୍ୟକୁ ଯାଇ ଶେଷରେ ବିଶାଖାପାଟଣାରେ ଅଭିଯୁକ୍ତଙ୍କୁ ଠାବ କରିଥିଲା।

ଏଭଳି ଏକ ବିରଳ ମାମଲାରେ ସ୍ପେଶାଲ୍‌ ସ୍କ୍ବାଡ୍ ସଫଳତା ପାଇଥିବାରୁ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ମଧ୍ୟ ପ୍ରଶଂସା କରିଥିବା ନେଇ ଜଣାପଡ଼ିଛି। କମିସନରେଟ୍‌ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ବିଶାଖାପାଟଣା ଜେଲ୍‌ରେ ଜେରା କରି ଫେରିଛି। ଦୁହଁିକୁ ଉକ୍ତ କୋର୍ଟରୁ ପ୍ରଡକ୍ସନ୍ ୱାରେଣ୍ଟ ବଳରେ ଖୁବ୍‌ଶୀଘ୍ର ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି କମିସନର ଡ. ଷଡଙ୍ଗୀ ସୂଚନା ଦେଇଛନ୍ତି। ବେଙ୍ଗାଲୁରୁରେ ଏହି ୨ ଜଣଙ୍କ ବିରୋଧରେ ୨ଟି ଏନ୍‌ଡିପିଏସ୍‌ ଏବଂ ୨ଟି ଏଟିଏମ୍‌ ‌ଲୁଟ୍‌କୁ ମିଶାଇ ୪ଟି ମାମଲା ରହିଛି। ଏହାବ୍ୟତୀତ ହାଇଦ୍ରାବାଦ, ବିଶାଖାପାଟଣା, ଭୁବନେଶ୍ବର ଓ ନୂଆଦିଲ୍ଲୀରେ ଗୋଟିଏ ଲେଖାଏଁ ଏଟିଏମ୍‌ ଲୁଟ୍‌ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ୬ଟି ଏଟିଏମ୍‌ ଲୁଟ୍‌ ମାମଲା ସେମାନଙ୍କ ବିରୋଧରେ ରହିଛି। ଦୁହେଁ ବେଙ୍ଗାଲୁରୁରେ ରୁହନ୍ତି। ସେଠାରୁ ବିଭିନ୍ନ ସ୍ଥାନକୁ ବିମାନ୍‌ରେ ଯାଇ ଲୁଟ୍‌ତରାଜ କରିଥାନ୍ତି। ଦୁହେଁ ହାଇଫାଇ ଅପରାଧୀ ବୋଲି କମିସନର କହିଛନ୍ତି ।

ସିସିଟିଭି ଫୁଟେଜ୍‌ରୁ ମିଳିଲା ସୁରାକ୍‌

ଏଟିଏମ୍‌ରୁ ମିଳିଥିବା ଫଟୋଚିତ୍ରକୁ ନେଇ କମିସନରେଟ୍‌ ପୁଲିସ ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା। ତେବେ ଏକ ଆକ୍ଟିଭାରେ ସେଭଳି ୨ ଜଣ ଯାଉଥିବା ଦେଖାଯାଇଥିଲା। ପୁଲିସ ଉକ୍ତ ଆକ୍ଟିଭା ନମ୍ବରକୁ ଭିତ୍ତିକରି ଏହା କାହାର ବୋଲି ଜାଣିବା ପରେ ଧୀରେ ଧୀରେ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିବାରେ ଲାଗିଥିଲା। ଏହି ଦୁଇ ଜଣ ଭଡ଼ାରେ ଆଣିଥିବା ସ୍କୁଟି ସମ୍ପର୍କରେ ଜଣାପଡିବା ପରେ ସେମାନେ କେଉଁଠାରେ ରହିଥିଲେ ତାହା ଜଣାପଡିଥିଲା। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଦୁଇ ଜଣ ଦୁଇଟି ହୋଟେଲ୍‌ରେ ରହିଥିବା ଜଣାପଡିଥିଲା। ୧୦ ତାରିଖ ରାତିରେ ଏଟିଏମ୍‌ ଲୁଟ୍‌ କରିବା ପରେ ସେମାନେ ୧୧ ତାରିଖ ସକାଳେ ହୋଟେଲ୍‌ ଛାଡି ଦେଇଥିଲେ। ଭଡ଼ାରେ ଆଣିଥିବା ସ୍କୁଟି ଫେରାଇବା ପରେ ସିଧା ବିମାନବନ୍ଦରକୁ ଯାଇ ନୂଆଦିଲ୍ଲୀ ପଳାଇଥିଲେ। କଲ୍‌କାତାରୁ ଏକ ଭଡ଼ା କାର୍‌ରେ ଦୁହେଁ ଅକ୍ଟୋବର ୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିଥିଲେ।

୫ ଦିନ ଧରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଏଟିଏମ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। କେଉଁ ଏଟିଏମ୍‌ ନିରାପଦ ସ୍ଥାନରେ ରହିଛି। ସେନେଇ ନଜର କରିବା ବେଳେ ଏହି ପିଏନ୍‌ବି ଏଟିଏମ୍‌ ଗତ କିଛି ଦିନ ଅକାମି ହୋଇପଡିଥିବା ଜାଣିବାକୁ ପାଇଥିଲେ। ତେଣୁ ଉକ୍ତ ଏଟିଏମ୍‌କୁ ଦୁଇ ୩ ଦିନ ଧରି ରେକି କରିବା ପରେ ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତିରେ ଗ୍ୟାସ୍‌ କଟରରେ କାଟି ଟଙ୍କା ନେଇ ଯାଇଥିଲେ। ତେବେ ସେମାନେ ଗ୍ୟାସ୍‌ କଟର ବି ରାଜଧାନୀର କେଶବ ମହାପାତ୍ର ନାମକ ଜଣେ ବ୍ୟବସାୟୀଙ୍କଠାରୁ ଭଡ଼ା ସୂତ୍ରରୁ ଆଣିଥିଲେ। ତେବେ ତାଙ୍କୁ ଗ୍ୟାସ୍‌ ସିଲିଣ୍ଡର ଫେରାଇ ନ ଥିଲେ। ବିମାନରେ ଯାତାୟାତ କରୁଥିବା ଏହି ହାଇଫାଇ ଲୁଟିଆଙ୍କୁ ସାଧାରଣରେ କେହି ବିଶ୍ବାସ କରିବେ ନାହିଁ।

Comments are closed.