ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯିବେ ତାମିଲନାଡୁ ଓ କେରଳ, ସେନାକୁ ହସ୍ତାନ୍ତର କରିବେ ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାମିଲନାଡୁ ଓ କେରଳ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚେନ୍ନାଇଠାରେ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏମକେ-୧ଏକୁ ସେନାକୁ ହସ୍ତାନ୍ତର କରିବେ। ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ କୋଚିଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ। ତାମିଲନାଡୁରେ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ୩ ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ଚେନ୍ନାଇ ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣକୁ ଉଦ୍‍ଘାଟନ କରିବେ ଏବଂ ୱାସରମେନ୍‍ପେଟ୍‍ ଠାରୁ ୱିମ୍‍କୋନଗର ପର୍ଯ୍ୟନ୍ତ ଯାତ୍ରୀ ସେବାକୁ କାର୍ଯ୍ୟକାରୀ କରିବେ। ଏହି ୯.୦୫ କିଲୋମିଟର ଦୀର୍ଘ ସମ୍ପ୍ରସାରଣ ଉତ୍ତର ଚେନ୍ନାଇ ସହିତ ବିମାନବନ୍ଦର ଏବଂ କେନ୍ଦ୍ରୀୟ ରେଳ ଷ୍ଟେସନକୁ ସଂଯୋଗ କରିବ।

ଚେନ୍ନାଇ ବିଚ୍ ଏବଂ ଆଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ୨୯୩.୪୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ୨୨.୧ କିଲୋମିଟର ଲାଇନ୍‍ ଚେନ୍ନାଇ ଏବଂ ଥିରୁଭାଲୁର ଜିଲ୍ଲା ଦେଇ ଚେନ୍ନାଇ ବନ୍ଦରରୁ ଯାତାୟାତକୁ ସହଜ କରିବ। ଏହି ରେଳଲାଇନ୍‍ ଚେନ୍ନାଇ ବନ୍ଦର ଏବଂ ଏନନୋର ବନ୍ଦରକୁ ସଂଯୋଗ କରିଛି ଏବଂ ପ୍ରମୁଖ ପଥ ଦେଇ ଯାଉଥିବାରୁ ରେଳ ଚଳାଚଳକୁ ସୁଗମ କରିଥାଏ। ପ୍ରଧାନମନ୍ତ୍ରୀ ଭିଲୁପୁରମ୍ – କୁଡାଲୋର – ମାୟିଲାଡୁଥୁରାଇ – ତାଞ୍ଜାଭୁର ଏବଂ ମାୟିଲାଦୁଥୁରାଇ-ଥିରୁଭାରୁର ଏକକ ରେଳ ଲାଇନର ବିଦ୍ୟୁତିକରଣକୁ ମଧ୍ୟ ଉଦ୍‍ଘାଟନ କରିବେ। ଏହି ୨୨୮ କିଲୋମିଟର ଦୈର୍ଘ୍ୟ ବିଦ୍ୟୁତିକରଣ କାର୍ଯ୍ୟ ୪୨୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି। ଚେନ୍ନାଇ ଏଗମୋର ଏବଂ କନ୍ୟାକୁମାରୀ ମଧ୍ୟରେ ଲାଇନ୍‍ ପରିବର୍ତ୍ତନ ନକରି ରେଳ ଚଳାଚଳ ସହଜ ହେବ ଏବଂ ଦୈନିକ ପ୍ରାୟ ୧୪.୬୧ ଲକ୍ଷ ଟଙ୍କାର ଇନ୍ଧନ ସଞ୍ଚୟ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏମକେ-୧ଏକୁ ଭାରତୀୟ ସେନାକୁ ହସ୍ତାନ୍ତର କରିବେ। ଏହି ଯୁଦ୍ଧ ଟ୍ୟାଙ୍କକୁ ୧୫ଟି ଶିକ୍ଷଣ ଅନୁଷ୍ଠାନ, ୮ଟି ପରୀକ୍ଷାଗାର ଏବଂ ଅନେକ ଏମଏସଏମଇ ସହିତ ଡ଼ିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍‌, ବିକଶିତ ଏବଂ ଉତ୍ପାଦିତ କରାଯାଇଛି। ଗ୍ରାଣ୍ଡ ଆନିକଟ କେନାଲ ସିଷ୍ଟମର ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତଳିଆ ଜିଲ୍ଲାଗୁଡ଼ିକରେ ଜଳସେଚନ ପାଇଁ ଏହି କେନାଲ ଗୁରୁତ୍ୱପୂର୍ଣ୍ଣ। ଏହି କେନାଲର ଆଧୁନିକୀକରଣ ୨ ହଜାର ୬୪୦ କୋଟି ଟଙ୍କା ବ୍ୟୟରେ କରାଯିବ ଏବଂ ଏହା କେନାଲଗୁଡିକର ଜଳ ପରିବହନ କ୍ଷମତାରେ ଉନ୍ନତି ଆଣିବ। ଆଇଆଇଟି ମାଡ୍ରାସର ଡିସ୍‍କଭରୀ କ୍ୟାମ୍ପସ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଚେନ୍ନାଇ ନିକଟସ୍ଥ ଥୟୁର ଠାରେ ଏହି କ୍ୟାମ୍ପସ ୨ ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ଆନୁମାନିକ ୧ ହଜାର କୋଟି ଟଙ୍କା ବ୍ୟୟ ଆକଳନ ହୋଇଛି।

ସେହିପରି କେରଳରେ ପ୍ରଧାନମନ୍ତ୍ରୀ ବିପିସିଏଲର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ୍ ପ୍ରୋଜେକ୍ଟକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହି କାରଖାନା ଆକ୍ରିଲେଟ୍‍ସ, ଆକ୍ରିଲିକ୍ ଏସିଡ୍ ଏବଂ ଓକ୍ସୋ-ଆଲକୋହଲ୍ ଉତ୍ପାଦନ କରିବ, ଯାହା ବର୍ତ୍ତମାନ ମୁଖ୍ୟତ ଆମଦାନୀ ହେଉଛି ଏବଂ ବାର୍ଷିକ ପ୍ରାୟ ୩ ହଜାର ୭୦୦ରୁ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହେବ ବୋଲି ଆଶା କରାଯାଉଛି। ପ୍ରାୟ ୬ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ର୍ନିମିତ ଏହି ପିଡିପିପି କମ୍ପେ୍ଲକ୍ସ ବିଶୋଧନାଗାର ନିକଟରେ କଞ୍ଚାମାଲ ଯୋଗାଣ, ବ୍ୟବହାର୍ଯ୍ୟ, ପାରିପାର୍ଶିକ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଏକୀକରଣ ହାସଲ କରିବାକୁ ସ୍ଥାପନ ହୋଇଛି। କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳାର ଅନୁକୂଳ ପରିଚାଳନା ପରିପ୍ରେକ୍ଷୀରେ ବିପୁଳ ଖର୍ଚ୍ଚ ସଞ୍ଚୟ କରିବାରେ ଏହା ଆନୁଷଙ୍ଗିକ ଶିଳ୍ପଗୁଡିକୁ ଲାଭ ଦେଉଛି। ଏହା ସ୍ଥାପନ ସହିତ, କୋଚି ବିଶୋଧନାଗାର ଉତ୍ତମ ପେଟ୍ରୋକେମିକାଲ୍ ଉତ୍ପାଦନ କରୁଥିବା ପ୍ରଥମ ଭାରତୀୟ ବିଶୋଧନାଗାର ହୋଇପାରିଛି।

କୋଚିନ ସ୍ଥିତ ୱିଲିଙ୍ଗଡନ୍ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସର୍ଗ କରିବେ। ଭାରତୀୟ ଜଳପଥ ପ୍ରାଧିକରଣ ଜାତୀୟ ଜଳପଥ- ୩ରେ ବୋଲଗାଟୀ ଏବଂ ୱିଲିଙ୍ଗଡନ୍ ଦ୍ୱୀପ ମଧ୍ୟରେ ଦୁଇଟି ନୂତନ ରୋଲ୍ ଅନ୍ / ରୋଲ୍ ଅଫ୍ ଜାହାଜ ନିୟୋଜିତ କରିବେ। ରୋ-ରୋ ଜାହାଜ, ଏମଭି ଆଦିଶଙ୍କର ଏବଂ ଏମଭି ସିଭି ରମଣ, ତିନୋଟି ୨୦ ଫୁଟ ଟ୍ରକ, ତିନିଟି ୨୦ ଫୁଟ ଟ୍ରଲର ଟ୍ରକ, ତିନୋଟି ୪୦ ଫୁଟ ଟ୍ରେଲର ଟ୍ରକ ଏବଂ ପ୍ରତ୍ୟେକରେ ୩୦ ଜଣ ଯାତ୍ରୀ ପରିବହନ କରିବାର କ୍ଷମତା ରହିବ। ଏହାଦ୍ୱାରା ପରିବହନ ମୂଲ୍ୟ ଏବଂ ଗମନାଗମନ ସମୟ ହ୍ରାସ ହେତୁ ଏହି ସେବା ବ୍ୟବସାୟିକ ଲାଭଦାୟକ ହେବ ଏବଂ କୋଚି ରାସ୍ତାରେ ଯାତାୟାତ ମଧ୍ୟ ହ୍ରାସ ପାଇବ।

କୋଚିନ୍ ବନ୍ଦରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ‘ସାଗାରିକା’ର ଉଦଘାଟନ କରିବେ। ୱିଲିଙ୍ଗଡନ୍ ଦ୍ୱୀପରେ ଥିବା ଏର୍ନାକୁଲମ୍ ୱାର୍ଫରେ ଏହା ଭାରତର ପ୍ରଥମ ପୂର୍ଣ୍ଣ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଅଟେ। ଏହାର ଅତ୍ୟାଧୁନିକ ସୁବିଧା ରହିଛି ଏବଂ ୨୫.୭୨ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି। ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ବିକାଶକୁ ପୋତ୍ସାହନ ଦେବ ଏବଂ ରୋଜଗାର ସୃଷ୍ଟି, ରାଜସ୍ୱ ଏବଂ ବୈଦେଶିକ ମୁଦ୍ରା ପାଇଁ ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ମେରାଇନ ଇଞ୍ଜିନିୟରିଂ ତାଲିମ ପ୍ରତିଷ୍ଠାନ, ବିଜ୍ଞାନ ସାଗର, କୋଚିନ୍ ଶିପିୟାର୍ଡ ଲିମିଟେଡକୁ ମଧ୍ୟ ଉଦଘାଟନ କରିବେ। ଏହା ହେଉଛି ଅଗ୍ରଣୀ ସାମୁଦ୍ରିକ ତାଲିମ କେନ୍ଦ୍ର ଏବଂ ଦେଶର ଏକମାତ୍ର ସାମୁଦ୍ରିକ ପ୍ରତିଷ୍ଠାନ ଯାହାକି ଗୋଟିଏ ସିପ୍‍ୟାର୍ଡ ମଧ୍ୟରେ ପ୍ରତିଷ୍ଠା ହେବା ସହିତ ନିର୍ମାଣ ଏବଂ ମରାମତି ପାଇଁ ଆସୁଥିବା ଜାହଜର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥାଏ। ୨୭.୫ କୋଟି ଟଙ୍କାର ପୁଞ୍ଜି ମୂଲ୍ୟରେ ର୍ନିମିତ ଏହି ଅନୁଷ୍ଠାନର ୧୧୪ ଜଣ ସ୍ନାତକୋତ୍ତର ଗ୍ରହଣ କରିବାର କ୍ଷମତା ଅଛି। ଏହା ଭାରତ ତଥା ବିଦେଶରେ ସାମୁଦ୍ରିକ ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ସାମୁଦ୍ରିକ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପ୍ରତିଭା ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରରେ ଦକ୍ଷିଣ କୋଇଲା ବର୍ଥର ପୁନଃ ର୍ନିମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସାଗରମାଳା ଯୋଜନା ଅଧୀନରେ ପ୍ରାୟ ୧୯.୧୯ କୋଟି ଟଙ୍କା ବ୍ୟୟରେ ଏହାର ପୁନଃ ର୍ନିମାଣ କରାଯାଉଛି। ସମାପ୍ତ ହେବା ପରେ, କୋଚିନ୍ ବନ୍ଦରରେ ରାସାୟନିକ ସାମଗ୍ରୀ ପରିବହନ ପାଇଁ ଏକ ଉତ୍ସର୍ଗୀକୃତ ବର୍ଥିଂ ସୁବିଧା ଉପଲବ୍ଧ ହେବ। ବର୍ଥର ପୁନଃର୍ନିମାଣ ମାଲପରିବହନକୁ ଶୀଘ୍ର ଏବଂ ଦକ୍ଷ ଭାବରେ ପରିଚାଳନା ସହିତ ବ୍ୟୟ ହ୍ରାସ କରିବ।

Comments are closed.