ମୋଦୀଙ୍କୁ ମିଳିଥିବା ଉପହାରର ଇ-ନିଲାମୀ ସରିଲା

ନୂଆଦିଲ୍ଲୀ: ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରର ପ୍ରଦର୍ଶନୀ ତଥା ଇ-ନିଲାମୀ ଶୁକ୍ରବାର ସମ୍ପନ୍ନ ହୋଇଛି। ଏହି ନିଲାମୀକୁ ଅଭୂତପୂର୍ଣ୍ଣ ଜନସମର୍ଥନ ମିଳିଥିଲା ଏବଂ ଦଶ ହଜାରରୁ ଊର୍ଦ୍ଦ୍ଵ ବିଡ ଦାଖଲ କରାଯାଇଥିଲା। ଏହି ଇ-ନିଲାମୀରୁ ମିଳିଥିବା ଅର୍ଥ ‘ନମାମି ଗଙ୍ଗେ’ ଅଭିଯାନ ପାଇଁ ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ଉପହାର ମିଳିଥିବା ୨ ହଜାର ୭୭୨ଟି ସ୍ମାରକୀର ବିକ୍ରି ଲାଗି ସେପ୍ଟେମ୍ବର ୧୪ଠାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀଠାରେ ଏହି ସ୍ମାରକୀଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ଏହି ସ୍ମାରକୀଗୁଡ଼ିକ ମଧ୍ୟରେ ଚିତ୍ର, ମୂର୍ତ୍ତି, ଚଦର, ଜ୍ୟାକେଟ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ବିଭିନ୍ନ ସାମଗ୍ରୀ ରହିଥିଲା।

ପୂର୍ବରୁ ଅକ୍ଟୋବର ୩ ତାରିଖରେ ଇ-ନିଲାମୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଥିପ୍ରତି ଅଭୂତପୂର୍ବ ଜନସମର୍ଥନ ତଥା ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଅନୁରୋଧକୁ ଦେଖି ନିଲାମୀ ପ୍ରକ୍ରିୟାକୁ ୩ ସପ୍ତାହ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଥିଲା ।ତେବେ ନିଲାମୀ ପାଇଁ ଥିବା ସମସ୍ତ ସାମଗ୍ରୀ ବିକ୍ରି ହୋଇସାରିଛି। ବଲିଉଡ ତାରକା ଅନୀଲ କପୁର, ଅର୍ଜୁନ କପୁର ଏବଂ ଗାୟକ କୈଲାସ ଖେର ପ୍ରମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତି, ରାଜନେତା ଏବଂ ସାମାଜିକ କର୍ମୀ ନିଲାମୀ ପ୍ରତି ସେମାନଙ୍କ ଆଗ୍ରହ ବ୍ୟକ୍ତ କରିଥିଲେ। ପ୍ରଦର୍ଶିତ ହୋଇଥିବା ସ୍ମାରକୀଗୁଡ଼ିକ ମଧ୍ୟରେ ଭଗବାନ ଗଣେଶଙ୍କ ଏକ ଛୋଟ ମୂର୍ତ୍ତି ଏବଂ ପଦ୍ମ ଆକୃତିର ଏକ କାଠ ବାକ୍ସ ଭଳି ଛୋଟ ସାମଗ୍ରୀର ଆଧାର ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିଲା। ତେବେ ପୃଷ୍ଠଭୂମିରେ ତ୍ରିରଙ୍ଗା ରହିଥିବା ମହାତ୍ମା ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କ ଏକ ତୈଳଚିତ୍ରର ଆଧାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ରଖାଯାଇଥିଲା, ଯାହା ୨୫ ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ନିଲାମ ହୋଇଥିଲା।

ମା’ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଫ୍ରେମ ହୋଇଥିବା ଫଟୋର ଆଧାର ମୂଲ୍ୟ ୧ ହଜାର ଟଙ୍କା ରଖାଯାଇଥିବା ବେଳେ ଏହାକୁ ୨୦ ଲକ୍ଷ ଟଙ୍କାରେ କ୍ରୟ ପାଇଁ ବିଡ ଦାଖଲ କରାଯାଇଛି। ଅନ୍ୟ ଲୋକପ୍ରିୟ ନିଲାମ ସାମଗ୍ରୀ ମଧ୍ୟରେ ମଣିପୁରୀ ଲୋକକଳାର ଏକ କଳାକୃତିର ମୂଲ୍ୟ ୫୦ ହଜାର ଟଙ୍କା ରହିଥିବା ବେଳେ ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ବେଳେ ବାଛୁରିକୁ ଖୁଆଉଥିବା ଏକ ଗାଈର ଧାତବ ମୂର୍ତ୍ତି ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଓ ୧୪ ସେଣ୍ଟିମିଟର ବିଶିଷ୍ଟ ସ୍ୱାମୀ ବିବେକାନନ୍ଦଙ୍କ ଏକ ଧାତବ ମୂର୍ତ୍ତି ୬ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ବିଡ ଦାଖଲ ହୋଇଛି।

Comments are closed.