ସୋନପୁର, ନୂଆପଡା ଓ ପାରଳାଖେମୁଣ୍ଡିରେ ପ୍ରଜ୍ବଳିତ ହେଲା ଏକତାର ଆଲୋକ

ସମାଜ ପୋର୍ଟାଲ ଡେସ୍କ: ମହାମାରୀ କରୋନା ବିରୁଦ୍ଧରେ ଜାତୀୟ ଏକତାର ସୂତ୍ରରେ ଲଢାଇ କରିବା ଉଦ୍ଦ୍ଦେଶ୍ୟରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଦୀପ ପ୍ରଜ୍ବଳନ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ଧ୍ଧେୟ କରି ସୁବର୍ଣ୍ଣପୁର ଜିଲ୍ଲାର ଗାଁଠୁ ସହର ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ସଭିଏଁ ନିଜ ନିଜ ଘରେ ପୂର୍ବ ନିର୍ଦ୍ଧାରିତ ସମୟ ରାତି ୯ଟାରେ ଦୀପ ଦାନ କରିଛନ୍ତି। ମହାମାରୀ କରୋନା ସଂକ୍ରମଣରୁ ନିଜକୁ ତଥା ଭାରତ ବର୍ଷକୁ ରକ୍ଷା କରିବା ପାଇଁ ଲୋକେ ଈଶ୍ବରଙ୍କ ଠାରେ ପ୍ରାର୍ଥନା କରିବା ସହ ଦେଶର ଏଇ ଘଡିସନ୍ଧି ମୁହୂର୍ତ୍ତରେ ଏକତା ଓ ସଂହତିର ନିଦର୍ଶନ ସ୍ବରୂପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧକୁ ମାନି ଦୀପ ଜାଳିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ସଂକଳ୍ପ ନେଇଛନ୍ତି ।

ନୂଆପଡା ଜିଲ୍ଲା ସଦର ମହକୁମାସ୍ଥିତ ନିଜ ବାସଭବନରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ନେଇ ଦୀପ ପ୍ରଜ୍ଵଳନ କରିଛନ୍ତି। ସେହିପରି ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ନେଇ ଅନେକ ଦୀପ ଜାଳିବା ସହ ମୋବାଇଲ ଲାଇଟ ଜଳାଇଛନ୍ତି। ସେହିପରି ଅନେକ ସ୍ଥାନରେ ଆତସ ବାଜି କରାଯାଇଥିବା ଦେଖିବାକୁ ମିଳିଅଛି। ଅନେକ ସ୍ଥାନରେ ମହମବତି ସହ କୁମ୍ପି ଜାଳି ନିଜ ସମର୍ଥନ ଜଣାଇଛନ୍ତି। ସମଗ୍ର ଜିଲ୍ଲାରେ ଏକ ଆଲୋକର ମାହୋଲ ରହିଥିବା ବେଳେ ଅନେକ ନିଜ ଦ୍ଵାର ମୁହଁ ଏବଂ ପାଚେରୀରେ ଦୀପ ଜଳାଇ ଆଲୋକର ପର୍ବ ଭଳି ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ମାତ୍ର ଆହ୍ବାନରେ ବାହାରି ପଡିଛନ୍ତି।

କରୋନା ଭୁତାଣୁ ସଂକ୍ରମଣ’ର ଦେଖା ଦେଇଥିବା ସଂକଟମୟ ପରିସ୍ଥିତି’ର ମୁକାବିଲା କରିବା ପାଇଁ ଏବଂ କରୋନା ବିରୋଧୀ ଲଢ଼େଇକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ଦେଇଥିବା ଆହ୍ବାନ ଓ ନିବେଦନକୁ ପାରଳାଖେମୁଣ୍ଡି ସହରବାସୀ ଆଗ୍ରହର ସହ ଗ୍ରହଣ କରି ବିପୁଳ ଜନ ସମର୍ଥନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଓ ନିବେଦନ ପ୍ରକାରେ ସମସ୍ତେ ୫ ତାରିଖ ରବିବାର ରାତି ଠିକ ୯ଟା ସମୟରେ ଘରର ସମସ୍ତ ଲାଇଟ ବନ୍ଦ କରିଦେଇ ୯ ମିନିଟ ପର୍ୟ୍ୟନ୍ତ ସାମୁହିକ ଶକ୍ତି ଦ୍ୱାରା କରୋନା ଭୁତାଣୁର ସଂକ୍ରମଣକୁ ପରାସ୍ତ କରିବା ଉଦ୍ଦେଶ୍ୟ ନେଇ ନିଜ ନିଜ ଘର ଦାଣ୍ଡ ଦୁଆର ଏବଂ ବାଲକୋନିରେ ରହି ଦୀପ, ଟର୍ଚ୍ଚ, ମହମବତୀ ଓ ମୋବାଇଲ ଫ୍ଲାସ ଲାଇଟ ଲଗାଇ ମହାଶକ୍ତିର ଜାଗରଣ ସୃଷ୍ଟି କରାଇଥିଲେ।

ଏହି ସମୟ ମଧ୍ୟରେ ସମସ୍ତେ କରୋନା ସଙ୍କଟର ନିରାଶାର ଅନ୍ଧକାରକୁ ଟର୍ଚ୍ଚ, ମହମବତୀ ଓ ଦୀପ ଲଗାଇ ଉଜ୍ଜଳମୟ କରିଦେଇ ଥିଲେ। ସାମୁହିକ ଭାବେ ଐକ୍ୟବଦ୍ଧ ହୋଇ ଏଭଳି ଉଜ୍ଜଳମୟ ଅଗ୍ନିର ଜ୍ବଳନ ଶକ୍ତି ଦ୍ୱାରା କରୋନା ଭୁତାଣୁ ନଷ୍ଟ ହୋଇଯିବେ। ଅନ୍ୟପକ୍ଷରେ ଏଭଳି ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତିର ଉନ୍ନତି ହେବା ସହିତ ଭୌତିକ ଶରୀର ନିରୋଗ ହୋଇପାରିବ। ମୁଖ୍ୟତଃ ଭାବେ ଯେଉଁମାନେ ଏଭଳି ସଙ୍କଟମୟ ପରିସ୍ଥିତିରେ ପୀଡିତମାନଙ୍କୁ ଦିନରାତିକୁ ଏକ କରିଦେଇ ନିରନ୍ତର ସେବା ଯୋଗାଇଦେଇ ଆସୁଛନ୍ତି ଏବଂ କରୋନାର ଦୃଢ଼ ମୁକାବିଲା କରିବାରେ ଲାଗି ପଡିଛନ୍ତି, ସେମାନଙ୍କ ପାଇଁ ନିଶ୍ଚିତ ଭାବେ ଏହା ଉଜ୍ଜଳ, ନିରାଶାର ଅନ୍ଧକାରକୁ ସମ୍ପୂର୍ଣ୍ଣ ହଟାଇ ଦେବାରେ ବେଶ ସହାୟକ ହୋଇପାରିବ ଏବଂ ଦେଶରେ ସମଗ୍ର ମାନବ ଜାତି ସୁରକ୍ଷିତ ରହି ପାରିବେ।

Comments are closed.