ଚୀନରୁ ଆମଦାନୀ ହ୍ରାସ ପାଇଁ ପିଏମ୍‌ଓର ନିର୍ଦେଶ

ନୂଆଦିଲ୍ଲୀ : ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ ଆମଦାନୀ ହ୍ରାସ କରାଯାଇପାରିବ ସେ ବାବଦରେ ବାଣିଜ୍ୟ ମନ୍ତ୍ରଣାଳୟଠାରୁ ପ୍ରସ୍ତାବ ଆହ୍ବାନ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଏ କ୍ଷେତ୍ରରେ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ପିଏମ୍‌ଓ କହିଛି। ଏଥିସହିତ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ)ର ସମୀକ୍ଷା କରିବାକୁ ମଧ୍ୟ ପିଏମ୍‌ଓ ପରାମର୍ଶ ଦେଇଛି। ଚୀନରୁ ଶସ୍ତା ସାମଗ୍ରୀ କିଣିବା ବନ୍ଦ କରିବାକୁ ଅଧିକାଂଶ ରାଷ୍ଟ୍ର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଭାରତ ଏ ଦିଗରେ ପଦକ୍ଷେପ ନେଉଛି। ଆତ୍ମନିର୍ଭର ଭାରତ ଅଭିଯାନକୁ କ୍ଷିପ୍ର କରିବା ପାଇଁ ପିଏମ୍‌ଓ ପରାମର୍ଶ ଦେଇଛି।

ଦକ୍ଷିଣ କୋରିଆ, ସିଙ୍ଗାପୁର, ମାଲେସିଆ ଭଳି ‘ଆସିଆନ୍‌’ ରାଷ୍ଟ୍ରସମୂହରୁ ମଧ୍ୟ ଆମଦାନୀ ହ୍ରାସ ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି। ପୁନଶ୍ଚ ଭାରତରେ ଚୀନ କମ୍ପାନୀଙ୍କ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ସମୀକ୍ଷା କରୁଛନ୍ତି। ଆବଶ୍ୟକ ହେଲେ ଏଗୁଡ଼ିକୁ ବାତିଲ କରାଯିବ ବୋଲି ସୂଚନା ମିଳିଛି। ଏସବୁ ନେଇ ବାଣିଜ୍ୟ ତଥା ଶିଳ୍ପ ମନ୍ତ୍ରଣାଳୟ ସାନି ନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ୧୦ ଚାଇନା କମ୍ପାନୀ ଭାରତରୁ ଫେରିଯିବା ପାଇଁ ଚିନ୍ତା କରୁଥିବା ଏ ନେଇ ଆଇନ ବିଶାରଦଙ୍କ ପରାମର୍ଶ ନେଉଥିବା ଜଣାପଡ଼ିଛି। ଭାରତରେ ଚାଇନା କମ୍ପାନୀଙ୍କ ସାମ୍ପ୍ରତିକ ଓ ପ୍ରସ୍ତାବିତ ନିବେଶ ପରିମାଣ ୨୬୦୦ କୋଟି ଡଲାର ରହିଛି।

Comments are closed.