କରୋନା ସଂକ୍ରମଣ ବଢ଼ିବା ପରେ ପିଏମଓ ଡାକିଲା ଜରୁରୀ ବୈଠକ

ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ କିଛି ରାଜ୍ୟରେ ଏବେ ଦ୍ରୁତଗତିରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କରୋନାକୁ ନେଇ ଜରୁରିକାଳୀନ ବୈଠକ ଡକାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷରୁ କମ୍‌ ରହିଛି, କିନ୍ତୁ କିଛି ରାଜ୍ୟ ଯେପରି କି କେରଳ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ରୋଗୀ ସଂଖ୍ୟା ବଢ଼ି ଚାଲିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଏହି ରାଜ୍ୟଗୁଡ଼ିକରେ ପ୍ରତିଦିନ ସଂକ୍ରମଣ ବୃଦ୍ଧି ପାଉଛି। କେବଳ କେରଳରେ ବର୍ତ୍ତମାନ ଦେଶର ୩୮ ପ୍ରତିଶତ ସକ୍ରିୟ ରୋଗୀ ରହିଥିବାବେଳେ ମହାରାଷ୍ଟ୍ରରେ ୩୭ ପ୍ରତିଶତ ରୋଗୀ ଅଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ କୋଟିରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ନିୟନ୍ତ୍ରଣରେ ରହିଛି। କେବଳ କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବଢ଼ିଯାଇଛି। ଏବେ ଦୈନିକ ମୃତକଙ୍କ ସଂଖ୍ୟା ୧୦୦ରୁ କମ୍‌ ରହିଛି। ଏବେ ସୁଦ୍ଧା ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୫୪ ହଜାର ୭୮୮ ଜଣଙ୍କୁ କରୋନା ଟିକା ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳହ କହିଛି ଯେ, କରୋନାର ବ୍ରିଟେନ ​ଷ୍ଟ୍ରେନ୍‌ ଦେଶକୁ ଆସିବା ପରେ ଆମ ପକ୍ଷରୁ ଲ୍ୟାବ୍‌ କନ୍‌ସୋର୍ଟିୟମ ପ୍ରସ୍ତୁତ ହୋଇଛି, ଯେଉଁଥିରୁ ଯେକୌଣସି ପ୍ରକାର ନୂଆ ଷ୍ଟ୍ରେନ୍‌କୁ ଟ୍ରାକ୍‌ କରାଯାଇ ପାରୁଛି। ଏବେ ଲୋକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାର ଷ୍ଟ୍ରେନ୍‌କୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଦେଶରେ ଏବେ ସୁଦ୍ଧା ୧୮୭ ବ୍ରିଟେନ୍‌ ଷ୍ଟ୍ରେନ୍‌, ୬ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ଏବଂ ଜଣେ ବ୍ରାଜିଲ ଷ୍ଟ୍ରେନ୍‌ରେ ସଂକ୍ରମିତ ରୋଗୀ ରହିଛନ୍ତି।

Comments are closed.