ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଠକେଇ – ବାଦ ପଡିଲେ ୧୭୧ ହସ୍ପିଟାଲ, ୪ କୋଟି ୬ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ୧୭୧ଟି ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରୁ ବାଦ ଦେଇଥିବା ବେଳେ ୯ଟି ରାଜ୍ୟର କେତେକ ହସ୍ପିଟାଲ ଉପରେ ୪ କୋଟି ୬ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ହସ୍ପିଟାଲଗୁଡିକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଠକେଇ କରିଥିବା ଜଣାପଡିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେହିପରି ବିଭିନ୍ନ ରାଜ୍ୟର ୩ ସହ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ଯୋଜନାରେ ପଞ୍ଜିକୃତ ଥିବା ଡାକ୍ତରଖାନାଗୁଡିକରେ ହେଉଥିବା ଅନିୟମିତତା ସମ୍ପର୍କରେ ତଦନ୍ତ ସମୟରେ ଜଣାପଡିଥିଲା। ବିଶେଷ ଭାବେ ଗୁଜୁରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଥିବା ହସ୍ପିଟାଲଗୁଡିକ ଏହି ଅନିୟମିତତାରେ ଲିପ୍ତ ଥିବା ଜଣାପଡିଛି। ସମ୍ପୃକ୍ତ ଡାକ୍ତରଖାନାଗୁଡିକର ପଞ୍ଜିକରଣ ରଦ୍ଦ କରାଯିବ ସହ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି ଓ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହି ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ତାଲିକାରେ ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ବର୍ତ୍ତମାନ ସୁଦ୍ଧା ସହଜ ସେବା କେନ୍ଦ୍ରରେ ନିୟୋଜିତ ଥିବା ୩ ହଜାର ୭୮୫ ଜଣ ଗ୍ରାମ ସ୍ଥରୀୟ ସେବକଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। ସରକାରଙ୍କ ଦ୍ୱାରା ସରକାରୀ ହସ୍ପିଟାଲ ପାଇଁ ନିର୍ଦ୍ଧାରିତ ଯୋଜନାକୁ ଘରୋଇ ହସ୍ପିଟାଲଗୁଡିକ ଅନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ଠକେଇ କରିଥିବା ଜଣାପଡିଛି।

Comments are closed.