ପିଏମଜିଏସୱାଇ କାର୍ଯ୍ୟରେ ଅନିୟମିତା ଅଭିଯୋଗ, ହାତରେ ଉଠିଯାଉଛି ପିଚୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମଜିଏସୱାଇ) କାର୍ଯ୍ୟରେ ଅନିୟମିତତା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଠିକାଦାର ରାସ୍ତାକାମ ନିମ୍ନମାନର କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ ଜଣାଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୧୭-୧୮ରେ ପିଏମଜିଏସୱାଇରେ ତେନ୍ତୁଳିଖୁଣ୍ଟି ବ୍ଳକର ଆରଡି ରାସ୍ତାଠାରୁ ଡେଙ୍ଗାଗୁଡା ପର୍ଯ୍ୟନ୍ତ ୩.୧୫୦ କିଲୋମିଟର ରାସ୍ତା ପାଇଁ ମୋଟ ୧୨୬.୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଣେ ଠିକାଦାରଙ୍କୁ ଏହାର ଟେଣ୍ଡର ଦିଆଯାଇଥିଲା। ଚୁକ୍ତି ଅନୁସାରେ ୨୦୧୯ ଜାନୁୟାରୀ ୧୭ ସୁଦ୍ଧା କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ତାହା ଶେଷ ହୋଇ ନ ଥିଲା। ଡେଙ୍ଗାଗୁଡା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ ହେବ ତରବରିଆ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି ରାସ୍ତା କାମ ନିମ୍ନମାନର ହେଉଥିବା ଗ୍ରାମବାସୀ କହିଛନ୍ତି। କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଗ୍ରାମବାସୀ ରାସ୍ତା ନିର୍ମାଣସ୍ଥଳକୁ ଡକାଇ କାର୍ଯ୍ୟ କିପରି ହୋଇଛି ତାହା ଦେଖାଇଛନ୍ତି। ରାସ୍ତାରେ ପକାଯାଇଥିବା ପିଚୁ ହାତରେ ଖୋଳିଲେ ବାହାରି ଯାଉଥିବା ଦେଖିବାକୁ ମିଳିଛି। ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗ୍ରାମବାସୀମାନେ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହାସହିତ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ଏହି କାର୍ଯ୍ୟ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ଇଂ .ସୁଦାମ ଚରଣ ମହାପାତ୍ର ପଚାରିବାରୁ ଅଭିଯୋଗର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 

Comments are closed.