ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ଅବସ୍ଥା ଶୋଚନୀୟ : ୬କୋଟି ଟଙ୍କା ପାଣିରେ

ନିର୍ମାଣର ଛଅମାସ ନ ପୂରୁଣୁ ରାସ୍ତାରୁ ଉଠିଲା ପିଚୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ହରଭଙ୍ଗା-ଧଳପୁର ଐତିହାସିକ ଜଗନ୍ନାଥ ସଡକ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ନିର୍ମାଣର ଛଅ ମାସ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିବା ସହ ଖାଲଖମାରେ ପରିଣତ ହେଲାଣି। ଯାହା ଫଳରେ ସରକାରଙ୍କ ୬କୋଟି ୨୦ଲକ୍ଷଟଙ୍କା ଅନୁଦାନ ପୂରା ପାଣିରେ ଧୋଇହୋଇଗଲା ଭଳି ପରିସ୍ଥିତି ଉପୁଜୁଛି।

ପ୍ରକାଶ ଯେ ଅଞ୍ଚଳବାସୀଙ୍କ ବହୁଦିନର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୬କୋଟି ୨୦ଲକ୍ଷଟଙ୍କା ବ୍ୟୟବରାଦରେ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୭ କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ନିର୍ମାଣର ଛଅମାସ ନ ପୂରୁଣୁ ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠିଯିବା ସହିତ ୨୦ବର୍ଷ ତଳର ପୂରୁଣା ରାସ୍ତା ଭଳି ଖାଲଖମାରେ ପରିଣତ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅବସ୍ଥା ବେହାଲ ହୋଇପଡ଼ିଛି। ସାଧାରଣ ଲୋକଙ୍କ ପଇସାରେ ସରକାର ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣଧିନ ରାସ୍ତା ଏଭଳି ଦୂରାବସ୍ଥା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ବିଭାଗୀୟ କର୍ମଚାରୀ ଏବଂ ଠିକାସଂସ୍ଥା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ଏଥିପ୍ରତି ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ,ଜ୍ୟୋର୍ତୀମୟ ଦାସ ଦାବି କରିଛନ୍ତି।

Comments are closed.