ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା – ବିକାଶ ନାମରେ ହରିଲୁଟ

ଲୋଇସିଂହା: ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମାରେ ଏବଂ ଉପଯୁକ୍ତ ମାନର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ନିର୍ମାଣ ସଂପୂର୍ଣ୍ଣ ହେବାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ରହିଛି। ମାତ୍ର ତଦାରଖ ଦାୟିତ୍ୱରେ ଥିବା ସ୍ଥାନୀୟ ଯନ୍ତ୍ରୀ ଏବଂ ଠିକାଦରଙ୍କ ମଧ୍ୟରେ ଦୁର୍ନିତୀର ମଧୁଚନ୍ଦ୍ରିକା ଯୋଗୁଁ ଅନୁଦାନ ପାଣ୍ଠିର ସିଂହଭାଗ ବାଟମାରଣା ହୋଇ ଅତ୍ୟନ୍ତ ନିମ୍ନ ମାନର କାମ କରାଯାଉଥିବା ଅଭିଯୋଗ ହେଉଛି। ଯଦ୍ୱାରା ୨/୩ ବର୍ଷ ମଧ୍ୟରେ ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡୁଛି। ଏପରିକି ରକ୍ଷଣା ବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପାଣ୍ଠି ରହିଥିଲେ ହେଁ ମରାମତି କରାଯାଉ ନାହିଁ। କେତେକ ସ୍ଥାନରେ ମରାମତି ନାମରେ ମିଥ୍ୟା ବିଲ କରାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି।

ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ଆଗଲପୁର ବ୍ଳକ ଅଞ୍ଚଳରେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନନ୍ନୟନ ବିଭାଗ ତଦାରଖ ରେ ଆଗଲପୁର ବ୍ଳକ ର ଭରସୁଜା-ପାଣ୍ଡେସରା, ଭରସୁଜା-ଗଣ୍ଡପାଲି, ଆର.ଡି ରାସ୍ତାରୁ ଲଖନପାଲି-ଖଲିଆପାଲି, ଝରନିପାଲି ନିକଟସ୍ଥ ଆରଡି ରାସ୍ତାରୁ ଚୁଙ୍ଗିଦାଦର-ଆମ୍ବଝରନ-ଖଲିଆପାଲି-ପାଣ୍ଡେସରା-ଝାଙ୍କରପାଲି-ନୁନିଆପାଲି, ଆରଡି ରାସ୍ତାରୁ ଆଡେନଡୁଙ୍ଗ୍ରି-ସାହାଜଛାପର- ବଡଟିକା-ଧଊଁରାଦାଦର ଆଦି ରାସ୍ତା ଗୁଡିକର ନିର୍ମାଣ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଯୋଗୁଁ ୨/୩ ବର୍ଷ ମଧ୍ୟରେ ସେ ଗୁଡିକ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ରକ୍ଷଣାବେକ୍ଷଣ ପାଇଁ ଥିବା ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ମରାମତି ହେଉ ନ ଥିବାରୁ ଅଞ୍ଚଳବାସୀ ଗମନାଗମନ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। କେତେକ ରାସ୍ତା ମରାମତି ନାମରେ ମିଥ୍ୟା ବିଲ କରାଯାଇ ପ୍ରଚୁର ଅର୍ଥ ହଡପ୍‍ କରାଯାଇଥିବା ଅଞ୍ଚଳବାସୀ ଙ୍କ ସନ୍ଦେହ ଦୃଢିଭୂତ ହୋଇଛି। ଏହାର ଭିଜିଲାନସ୍‍ ସ୍ତରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବୀ ହେଉଛି। ଅନ୍ୟ ପକ୍ଷରେ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରୀୟା ମିଳିପାରି ନାହିଁ।

Comments are closed.