ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ : ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି

ଅଗ୍ରଣୀ ସ୍ୱାସ୍ଥ୍ୟକର୍ମୀମାନଙ୍କର ନିରାପତ୍ତା କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା

-ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ଲାଗି ବୀମା ଦାବି ପାଇଁ ଏକ ନୂଆ ପ୍ରଣାଳୀ ଆରମ୍ଭ
-ଜିଲ୍ଲାପାଳଙ୍କ ଦ୍ୱାରା ପ୍ରମାଣିତ ଦାବିଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ମଞ୍ଜୁରି ଦେବା ସହ ବୀମା ଅର୍ଥ ପଇଠ କରିବେ ବୀମା କମ୍ପାନୀ
ଭାରତ ସରକାର କୋଭିଡ-୧୯ ମୁକାବିଲାରେ ସବୁଠୁ ଆଗରେ ରହିଛନ୍ତି ଏବଂ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକର ପ୍ରୟାସରେ ସହାୟତା କରି ଆସୁଛନ୍ତି। ଏହି ପ୍ରୟାସରେ କେନ୍ଦ୍ର ସରକାର ଏକ ଆଗୁଆ ଜରୁରି ପଦକ୍ଷେପ ଗ୍ରହଣ କରି,ଗତ ଅପ୍ରେଲ ୨୪ ଠାରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
ସମ୍ମୁଖ ଭାଗରେ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷାକୁ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ଗୋଟିଏ ବର୍ଷର ଅବଧି ଲାଗି ଏହି ବୀମା ଯୋଜନାକୁ ବୃଦ୍ଧି କରିଛନ୍ତି । ଏହାଛଡ଼ା ଏଥିରେ ସେହି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଆଶ୍ରିତମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଜାରି ରହିବ, ଯେଉଁମାନଙ୍କୁ କୋଭିଡ-୧୯ ରୋଗୀଙ୍କ ଯତ୍ନ ନେବା ଲାଗି ନିୟୋଜିତ କରାଯାଇଛି।
‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ୨୦୨୦ ମାର୍ଚ୍ଚ ୩୦ରେ ଆରମ୍ଭ କରଯାଇଥିଲା। ଏହି ଯୋଜନାକୁ ପ୍ରାରମ୍ଭରେ ୯୦ ଦିନ ପର୍ୟ୍ୟନ୍ତ ଅବଧି ଲାଗି ୫୦ ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା ଲାଗି ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିଲା । ଏହାର ହିତାଧିକାରୀମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଓ ଘରୋଇ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ସାମିଲ କରାଯାଇଥିଲା। ସରକାର ଏହି ଯୋଜନାକୁ କୋଭିଡ ରୋଗୀଙ୍କ ଯତ୍ନ ନେବା ତଥା ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଥିଲେ ଯେଉଁମାନେ କୋଭିଡ ୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ନ୍ୟୁ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ (ଏନଆଇଏସିଏଲ)ର ବୀମା ପଲିସି ଜରିଆରେ ଏହାକୁ କାର୍ୟ୍ୟକାରୀ କରାଯାଉଛି। ବର୍ତ୍ତମାନସୁଦ୍ଧା ବୀମା ପଲିସିକୁ ଦୁଇଥର ବୃଦ୍ଧି କରାଯାଇ ସାରିଲାଣି।
ରାଜ୍ୟ ଓ ଅନ୍ୟ ଅଂଶୀଦାରମାନେ ବୀମା ଦାବିରେ ବିଳମ୍ବ ହେଉଥିବା ଅଭିଯୋଗ ଆଣିଛନ୍ତି। ଏହି ବିଳମ୍ବକୁ ଦୂର କରିବା ଏବଂ ବୀମା ଦାବି ପୂରଣ କରିବା କାର୍ୟ୍ୟକୁ ସୁସଂଗତ ଓ ସରଳ କରିବାକୁ ନେଇ ଦାବି ଅନୁମୋଦନ ଲାଗି ଏକ ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଅନ୍ତର୍ଗତ ଜିଲ୍ଲାପାଳଙ୍କ ସ୍ତରରେ ରାଜ୍ୟ ସରକାର ଯଥାସମ୍ଭବ ତତ୍ପରତାର ସହିତ କାମ କରିପାରିବେ। ଜିଲ୍ଲାପାଳ ପ୍ରତ୍ୟେକ ମାମଲାର ଯାଞ୍ଚ କରିବେ ଏବଂ ବୀମାର ଦାବି ଯୋଜନା ମାନକ ପରିଚାଳନା ପଦ୍ଧତି (ଏସଓପି) ଅନୁଯାୟୀ ହୋଇଛି କି ନାହିଁ ତାହା ପ୍ରମାଣିତ କରିବେ। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର ଆଧାରରେ ବୀମା କମ୍ପାନୀ ୪୮ ଘଣ୍ଟାର ଅବଧି ମଧ୍ୟରେ ଦାବି ଅନୁମୋଦନ ଓ ଏହାକୁ ପୂରଣ କରିବେ। ଏହାବ୍ୟତୀତ, ବ୍ୟବସ୍ଥିତ ଓ ତ୍ୱରିତ ସମାଧାନ ଲାଗି ଜିଲ୍ଲାପାଳ ମଧ୍ୟ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଡାକ୍ତରଖାନା ଏମ୍ସ/ରେଳବାଇ ଆଦି ପକ୍ଷରୁ ଆସୁଥିବା ମାମଲାରେ ମଧ୍ୟ ଜିଲ୍ଲାପାଳ ବୀମା ଦାବିଗୁଡ଼ିକୁ ପ୍ରମାଣିତ କରିବେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ତୁରନ୍ତ ଏହାକୁ କାର୍ୟ୍ୟକାରୀ କରିବା ନିମନ୍ତେ କୁହାଯାଇଛି।

Comments are closed.