ବୋଫର୍ସର ୩୧ବର୍ଷ ପରେ ସେନାକୁ ମିଳିଲା ହାଇଟେକ୍‍ ତୋପ

0

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କୁ ପବିତ୍ର ଦୀପାବଳି ଅବସରରେ ୨ପ୍ରକାର ହାଇଟେକ ତୋପ ହସ୍ତାନ୍ତର କରାଯାଇଛି। ଏହି ତୋପ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଆମେରିକା ନିର୍ମିତ ଏମ-୭୭୭ଅଲ୍‍ଟ୍ରାଲାଇଟ୍‍ ହୋବିତ୍‍ଜର ଓ କୋରିଆ ନିର୍ମିତ କେ-୯ ବଜ୍ର ଭାରତୀୟ ସେନାରେ ସାମିଲ କରାଯାଇଛି। ଏହା ଦ୍ୱାରା ଭାରତୀୟ ସ୍ଥଳ ସେନାର ଶକ୍ତି ବୃଦ୍ଧି ପାଇଛି।

ପୂର୍ବରୁ ଏହି ତୋପକୁ ସେପ୍ଟେମ୍ବରରେ ଭାରତୀୟ ସେନାରେ ସାମିଲ କରାଯିବାର କାର୍ଯ୍ୟକ୍ରମ ଥିଲା। ହେଲେ କିଛି ବୈଷୟିକ କାରଣରୁ ଏହି ପ୍ରକ୍ରିୟାକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ଥିଲା।
ଏହି ଉପଲକ୍ଷେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସେନାଧ୍ୟକ୍ଷ ବିପିନ ରାୱତ୍‍ଙ୍କ ଉପସ୍ଥିତିରେ ଏହି ହାଇଟେକ୍‍ ତୋପ ସେନାକୁ ହସ୍ତାନ୍ତର କରାଯାଇ ଥିଲା।
ଭାରତୀୟ ସେନାକୁ ୩୧ବର୍ଷ ପରେ ଏଭଳି ଏକ ହାଇଟେକ୍‍ ତୋପ ପ୍ରଦାନ କରାଯାଇଛି। ବୋଫର୍ସ ତୋପ ପରଠାରୁ ଭାରତୀୟ ସ୍ଥଳ ସେନାରେ ସେଭଳି ଆଖିଦୃଶିଆ ତୋପ ପ୍ରଦାନ କରାଯାଇ ନଥିଲା। କେ-୯ ବଜ୍ରକୁ ଦକ୍ଷିଣ କୋରିଆର ହନବହା ଟେକ ବିନ କମ୍ପାନୀ ମେକ ଇନ ଇଣ୍ଡିଆ ଯୋଜନା ଅଧୀନରେ ନିର୍ମାଣ କରାଯାଇଛି। ଭାରତରେ ଏହି ତୋପର ନିର୍ମାଣ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ କରାଯିବ। ମୋଟ୍‍ ୪୩୬୬କୋଟି ଟଙ୍କା ବୟବରାଦରେ ସେନାକୁ ଚଳିତ ମାସ ଶେଷ ସୁଦ୍ଧା ୧୦ଟି ତୋପ ହସ୍ତାନ୍ତର କରାଯିବ। ଅବଶିଷ୍ଟ ୯୦ଟି ତୋପ ମେକ ଇନ ଇଣ୍ଡିଆ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଅବଶିଷ୍ଟ ୫୦ଟି ତୋପ ୨୦୨୦ସୁଦ୍ଧା ସେନାଙ୍କୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।
କେ-୯ ତୋପ ମାତ୍ର ୩ସେକେଣ୍ଡରେ ୩ଟି ବୋମା ନିକ୍ଷେପ କରିବାର କ୍ଷମତା ରହିଛି। ମାତ୍ର ୩ ମିନିଟ ମଧ୍ୟରେ ୧୫ ରାଉଣ୍ଡ ବୋମା ନିକ୍ଷେପ କରି ପାରୁଥିବା କେ-୯ ୬୦ମିନିଟରେ ୬୦ଟି ବୋମା ନିକ୍ଷେପ କରିପାରିବ। ଅପରପକ୍ଷରେ ଏହି ଟ୍ୟାଙ୍କ ଘଣ୍ଟାପିଛା ୬୦କିମି ବେଗରେ ଗତି କରି ପାରୁଛି। ଫଳରେ ଏହି ତୋପ ଭାରତର ରାଜସ୍ଥାନ ଓ ପଞ୍ଜାବ ସୀମାରେ ପ୍ରଭାବଶାଳୀ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି। ଏହି ତୋପ ୩୯କିମି ମଧ୍ୟରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଛି। ୧୫୫କ୍ୟାଲିବାର ତୋପ ବିସ୍ଫୋରଣ କରି ୫୦ମିଟର ଅଞ୍ଚଳକୁ ଧ୍ୱଂସ କରିବାର କ୍ଷମତା ରହିଛି।
ସେହିପରି ଆମେରିକାର ଏମ-୭୭୭ ତୋପ ୫୦୦୦କୋଟି ବିନିମୟରେ ଭାରତକୁ ଅଣାଯାଇଛି। ମାତ୍ର ୪.୨ଟନ ଓଜନ ବିଶିଷ୍ଟ ଏହି ଟ୍ୟାଙ୍କକୁ ହ୍ୟାଲିକପ୍ଟର ଓ ଅନ୍ୟାନ୍ୟ ଯାନ ଦ୍ୱାରା ପାହାଡ଼ିଆ ଦୁର୍ଗମସ୍ଥାନକୁ ନିଆଯାଇ ପାରିବ। କାରଗିଲ ଯୁଦ୍ଧରେ ସେନାଙ୍କୁ ମିଳିଥିବା ଅଭିଜ୍ଞତା ପରେ ଏଭଳି ଟ୍ୟାଙ୍କର ଆବଶ୍ୟକତା ଭାରତୀୟ ସେନା ଉପଲବ୍ଧି କରିଥିଲା। ୩୧କିମି ମଧ୍ୟରେ ୪ରାଉଣ୍ଡ କେବଳ ୧ମିନିଟରେ ନିକ୍ଷେପ କରି ପାରୁଥିବା ଏହି ତୋପରେ ଖଞ୍ଜାଯାଉଥିବା ବୋମାର ଓଜନ ୪୫କିଲୋ। ଏହି ଟ୍ୟାଙ୍କରେ ୮ଜଣ ସେନା ଯାତ୍ରା କରିବା ସହ ଏହାକୁ ବ୍ୟବହାର କରିପାରିବେ। ଆମେରିକା ସହ ଚୁକ୍ତି ମୁତାବକ ୨୦୨୧ସୁଦ୍ଧା ଭାରତୀୟ ସେନାଙ୍କୁ ୧୪୫ଟି ଏମ-୭୭୭ଟ୍ୟାଙ୍କ ମିଳିଯିବ। ଏହି ଟଙ୍କା ଦ୍ୱାରା ଭାରତୀୟ ସେନା ପୃଥକ ଏକ ରେଜିମେଣ୍ଟ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ଟ୍ୟାଙ୍କରେ ୧୩୦ଏମଏମ ଓ ୧୫୫ଏମଏମ ବୋମା ଖଞ୍ଜା ଯିବାର ବ୍ୟବସ୍ଥା ରହିଛି। ବୋମା ବହନ କରିବା ପାଇଁ ସ୍ୱତନ୍ତ୍ର ଇଞ୍ଜିନ ମଧ୍ୟ ଖଞ୍ଜା ଯାଇଛି। ଫଳରେ ଏହାର ଗତି ଘଣ୍ଟାକୁ ୫୦ରୁ ୮୦କିମିକୁ ବୃଦ୍ଧି ପାଇଛି।

Leave A Reply