ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି(ଶନିବାର)ଠାରୁ ଦୁଇ ଦିନ ପାଇଁ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ। ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ । ଦୁଇଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମାଲେରେ ଯାଇ ପହଞ୍ଚିବେ ଏବଂ ସେଠାରେ ସେ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍‍ ମହମ୍ମଦ ସୋଲିହ୍‍ଙ୍କ ସହ ମିଳିତ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ହେଲା – ଉପକୂଳ ସର୍ବେକ୍ଷଣ ରାଡାର୍‍ ବ୍ୟବସ୍ଥା ଏବଂ ମାଳଦ୍ୱୀପ ପ୍ରତିରକ୍ଷା ବାହିନୀ ପାଇଁ ସମ୍ମିଳିତ ପ୍ରଶିକ୍ଷଣ କେନ୍ଦ୍ର। ମାଲେରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର୍‍ କହିଛନ୍ତି, ୨୦୧୬ ମିଳିତ ପ୍ରତିରକ୍ଷା ରାଜିନାମା ଅଧୀନରେ ଭାରତର ଅନୁଦାନରେ ଏହି ଦୁଇଟି ପ୍ରକଳ୍ପର ବିକାଶ କରାଯାଇଛି।

କୌଣସି ବିଦେଶୀ ସମ୍ମାନିତ ଅତିଥିଙ୍କ ପ୍ରତି ବିରଳ ସମ୍ମାନ ପ୍ରଦର୍ଶନ ସ୍ୱରୂପ ମାଳଦ୍ୱୀପ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଦେଶର ସଂସଦ ପିପୁଲ୍‍ସ୍‍ ମଜ୍‍ଲିସରେ ଉଦ୍‍ବୋଧନ ଦେବାକୁ ନିମନ୍ତ୍ରଣ କରାଯାଇଛି। କୌଣସି ବିଦେଶୀ ନାଗରିକଙ୍କୁ ସେ ଦେଶ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ’ ନିଶାନ୍‍ ଇଜୁଦିନ୍‍’ ସମ୍ମାନରେ ମଧ୍ୟ ଶ୍ରୀ ମୋଦୀଙ୍କୁ ସମ୍ମାନିତ କରାଯିବ। ରାଷ୍ଟ୍ରଦୂତ କହିଛନ୍ତି, ପ୍ରତିନିଧିସ୍ତରୀୟ କଥାବାର୍ତ୍ତାରେ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଅନେକ ରାଜିନାମା ଓ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ।

ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ସେ ରବିବାର ଶ୍ରୀଲଭ୍କା ଗସ୍ତରେ ଯିବେ।

Comments
Loading...