ବିନା ଚାପରେ ଶ୍ରେଷ୍ଠ ପ୍ରଦର୍ଶନ କର, ସାରାଦେଶ ତୁମ ପଛରେ ଅଛି – ମୋଦୀ

ନୂଆଦିଲ୍ଲୀ: ତୁମେସବୁ ଦେଶର ପ୍ରତିନିଧିତ୍ବ କରିବାକୁ ଯାଉଛ। ଭୟ କରନାହିଁ। ପୂରା ଦେଶ ତୁମମାନଙ୍କ ପଛରେ ରହିଛି। ପ୍ରତିପକ୍ଷଙ୍କ ପ୍ରଦର୍ଶନ ଓ ଶକ୍ତିକୁ ମୂଲ୍ୟାୟନ କରିବା ବଦଳରେ ବିନା ଚାପରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍‌ସ ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରି ସନ୍ଦେଶ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍‌ ଗସ୍ତ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ଣରେ ଆଭାସୀ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ। କରୋନା ସବୁକିଛି ବଦଳାଇ ଦେଇଛି। ଟୋକିଓ ଅଲିମ୍ପିକ୍‌ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦେଇଛି। କ୍ରୀଡ଼ାବିତ୍‌ ଏଭଳି ସଙ୍କଟ ସମୟରେ ମଧ୍ୟ ହାର୍‌ ନମାନି ନିଜକୁ ପ୍ରସ୍ତୁତ କରିବାରେ ଅବହେଳା କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରି କହିଥିଲେ।

୧୩୦ କୋଟି ଭାରତୀୟଙ୍କ ସମର୍ଥନ ଓ ଶୁଭେଚ୍ଛା ତୁମ ନିକଟରେ ରହିଛି। ଅଲିମ୍ପିକ୍‌ସ ପାଇଁ ଟୋକିଓ ମାହୋଲ ମଧ୍ୟ ଭିନ୍ନ ରହିବ। ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଏକ ଆହ୍ବାନ ଭ​‌ାବେ ଗ୍ରହଣ କରି ଦେଶ ପାଇଁ ପଦକ ଜିତିବା ଏକମାତ୍ର ଲକ୍ଷ୍ୟ ରହୁ ବୋଲି ପ୍ରଧାନମନ୍ତ୍ରୀ ଟୋକିଓ ଅଲିମ୍ପିକ୍‌ସ ପ୍ରତିଯୋଗୀଙ୍କୁ ସନ୍ଦେଶ ଦେଇଛନ୍ତି। ଅଲିମ୍ପିକ୍‌ସ ଭଳି କ୍ରୀଡ଼ା ମହାକୁମ୍ଭରେ ପଦାର୍ପଣ ପୂର୍ବରୁ ଏଭଳି ଭାବ ବିନିମୟ ଉତ୍ସାହିତ କରିବ ବୋଲି କ୍ରୀଡ଼ାବିତ୍‌ ମତପ୍ରକାଶ କରିଥିଲେ। କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲାଗି ‘ଚିୟର ଫର୍ ଇଣ୍ଡିଆ’ ଅଭିଯାନ ଆଗେଇ ଚାଲିଛି। ଏହାକୁ ମଧ୍ୟ ବହୁତ ସମର୍ଥନ ମିଳୁଛି। ଖେଳାଳିମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ତୀରନ୍ଦାଜ ଦୀପିକା କୁମାରୀଙ୍କ ସହ କଥା ହୋଇଥିଲେ। ହାର୍‌ ନମାନି ନିଜର ପ୍ରତିଦ୍ବନ୍ଦ୍ବୀଙ୍କ ସାମ୍ନାକର। ଦେଶ ତୁମ ଉପରେ ଭରସା ରଖିଛି। ତୁମେ ବିଶ୍ବର ୧ନଂ ତୀରନ୍ଦାଜ। ତୁମେ ନିଶ୍ଚିତ ପଦକ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଉତ୍ସାହିତ କରି କହିଥିଲେ।

ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ସହ କଥା ହେବା ସହିତ ଏଭଳି ଜଣେ ପ୍ରତିଭାଙ୍କୁ ଗଢ଼ିଥିବାରୁ ମାତା ଓ ପିତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା, ମୁଷ୍ଟିଯୋଦ୍ଧା ଏମ୍.ସି. ମ୍ୟାରୀ କମ୍, ବକ୍ସର ଆଶିଷ କୁମାର, ସୌରଭ ଚୌଧୁରୀ, ଏଲାଭେଲିନ ଭାଲାରିଭାନ୍‌, ଧାବିକା ଦୂତି ଚାନ୍ଦ, ବ୍ୟାଡ଼ମିଣ୍ଟନ ତାରକା ପି.ଭି ସିନ୍ଧୁ, ଟେବୁଲ ଟେନିସ ଖେଳାଳି ଶରତ କମଲ, ମାନିକା ବାତ୍ରା, ସନ୍ତରଣକାରୀ ସଜ୍ଜନ ପ୍ରକାଶ, ପୁରୁଷ ହକି ଅଧିନାୟକ ମନପ୍ରୀତ ସିଂହ, ଟେନିସ ଖେଳାଳି ସାନିଆ ମିର୍ଜା, ମଲ୍ଲଯୋଦ୍ଧା ବିନେଶ ଫୋଗତ ପ୍ରମୁଖଙ୍କ ସହିତ କଥା ହୋଇଥିଲେ। ୪ର୍ଥ ଥର ଅଲିମ୍ପିକ୍‌ସ ଯାଉଥିବା ଶରତ କମଲ ସାଥୀ ଖେଳାଳିଙ୍କୁ ତାଙ୍କ ଅଭିଜ୍ଞତା ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ନୃତ୍ୟକରିବା ଦ୍ବାରା ତାଙ୍କ ଖେଳ​‌େ​‌ର କିପରି ଉନ୍ନତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଟେବୁଲ ଟେନିସ୍ ଖେଳାଳି ମାନିକା ବାତ୍ରାଙ୍କଠାରୁ ପଚାରି ବୁଝିଥିଲେ। କରୋନା ଯୋଗୁଁ ବ୍ୟକ୍ତିଗତ ଭାବେ ସେ ଖେଳାଳିଙ୍କୁ ଭେଟି ପାରୁନଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ​‌େ​‌କନ୍ଦ୍ର ଆଇନ୍‌ ମନ୍ତ୍ରୀ କିରେନ୍ ରିଜିଜୁ, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ, ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ସଭାପତି ନରିନ୍ଦର ବାତ୍ରା ଉପସ୍ଥିତ ଥିଲେ।

Comments are closed.