ଆୟକର ଆବେଦନ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ଯ୍ୟାଳୟ ଓ ଆବାସିକ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକରେ ଆୟକର ଆବେଦନ ଟ୍ରିବ୍ୟୁନାଲର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ କୋଠାର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହିବେ। ଏହି ଅବସରରେ ଆୟକର ଆବେଦନ ଟ୍ରିବ୍ୟୁନାଲ ଉପରେ ଏକ ଇ-କଫି ଟେବୁଲ୍ ପୁସ୍ତକ ମଧ୍ୟ ପ୍ରକାଶ ପାଇବ।

ଆଇଟାଟ ଭାବରେ ଜଣାଶୁଣା ଆୟକର ଅପିଲ୍ ଟ୍ରିବ୍ୟୁନାଲ୍ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା। ଏବେ ଝାଡ଼ଖଣ୍ଡ ଏବଂ ଗୁଜୁରାଟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପି. ପି. ଭଟ୍ଟ ଏହି ଟ୍ରିବ୍ୟୁନାଲର ମୁଖ୍ୟ ଅଛନ୍ତି। ୧୯୪୧ ମସିହା ଜାନୁଆରୀ ୨୫ରେ ପ୍ରଥମ ଟ୍ରିବ୍ୟୁନାଲ୍ ଭାବେ ଏହା ସ୍ଥାପିତ ହୋଇଥିଲା ଏବଂ ଏହା ‘ମଦର ଟ୍ରିବ୍ୟୁନାଲ୍’ ଭାବରେ ମଧ୍ୟ ଜଣାଶୁଣା। ୧୯୪୧ ମସିହାରେ ଏହାର ତିନୋଟି ବେଞ୍ଚ ଦିଲ୍ଲୀ, ବମ୍ବେ ଏବଂ କୋଲକାତାରେ ଆରମ୍ଭ ହୋଇଥିଲା ଏବଂ ଏବେ ଏହି ବେଞ୍ଚ ସଂଖ୍ୟା ବୃଦ୍ଧି ପାଇ ଦେଶର ୩୦ଟି ସହରରେ ୬୩ଟି ବେଞ୍ଚ ଏବଂ ଦୁଇଟି ସର୍କିଟ ବେଞ୍ଚ କାର୍ଯ୍ୟ କରୁଛି।

ଆୟକର ଅପିଲ୍ ଟ୍ରିବ୍ୟୁନାଲର କଟକ ବେଞ୍ଚ ୧୯୭୦ ମସିହା ମେ’ ୨୩ରୁ କାର୍ଯ୍ୟ ଆରମ୍ଭ କରିଥିଲା। ସାରା ରାଜ୍ୟ ପାଇଁ କାର୍ଯ୍ୟ କରୁଥିବା ଏକମାତ୍ର କଟକ ଆୟକର ଅପିଲ୍ ଟ୍ରିବ୍ୟୁନାଲ ବେଞ୍ଚ ୫୦ ବର୍ଷରୁ ଅଧିକ ସମୟ ପାଇଁ ଭଡା ଘରେ କାର୍ଯ୍ୟ କରୁଥିଲା।୨୦୧୫ ମସିହାରେ ଓଡିଶା ସରକାର ମାଗଣାରେ ୧.୬୦ ଏକର ଜମି ଆବଣ୍ଟନ କରିବା ପରେ ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। ୧୯୩୮ ବର୍ଗ ମିଟର ଅଂଚଳରେ ନିର୍ମିତ ଏହି ୩ ମହଲା କୋଠାରେ ପ୍ରଶସ୍ତ କୋର୍ଟ କୋଠରୀ, ଅଲ୍ଟ୍ରା-ଆଧୁନିକ ରେକର୍ଡ ରୁମ୍, ବେଞ୍ଚ ସଦସ୍ୟଙ୍କ ପାଇଁ ସୁସଜ୍ଜିତ ଚାମ୍ବର, ଲାଇବ୍ରେରୀ ରୁମ୍, ସୁସଜ୍ଜିତ ଆଧୁନିକ ସମ୍ମିଳନୀ ହଲ୍ ଏବଂ ମକଦ୍ଦମାକାରୀ, ବାର୍ ରୁମ୍, ଓକିଲ ଓ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି।

Comments are closed.