ଆସନ୍ତା ୨୩ ତାରିଖରେ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଫ୍ଲାଟଗୁଡିକ ନୂଆଦିଲ୍ଲୀର ଡକ୍ଟର ବି.ଡି. ମାର୍ଗରେ ନିର୍ମିତ ହୋଇଛି । ୮୦ ବର୍ଷରୁ ଅଧିକ ପୁରୁଣା ୮ଟି ବଙ୍ଗଳାକୁ ଭାଙ୍ଗି ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି । ଏହି ଫ୍ଲାଟଗୁଡିକ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ଅର୍ଥରୁ ଶତକଡା ୧୪ ଭାଗ ଅର୍ଥ ବଞ୍ଚାଯାଇପାରିଛି । କୋଭିଡ-୧୯ର ପ୍ରଭାବ ସତ୍ଵେ ଯଥା ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।

ନିର୍ମାଣ କାର୍ଯ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି । ପାଉଁଶ, ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପ୍ରସ୍ତୁତ କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲଇଡି ବିଜୁଳି ବତୀର ବ୍ୟବସ୍ଥା କରାଯାଇଛି । ବିଜୁଳି ବତୀ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଇତ୍ୟାଦିକୁ ଦୂର ସମ୍ବେଦୀ ଦ୍ଵାରା ନିୟନ୍ତ୍ରଣ କରାଯିବା ସହ ବର୍ଷାଜଳ ସଂଗ୍ରହ ଦ୍ଵାରା ଜଳ ସଂରକ୍ଷଣ ଓ ଛାତରେ ସୌରଶକ୍ତି ପ୍ଳାଣ୍ଟମାନ ସ୍ଥାପନ କରାଯାଇଛି ।

 

Comments are closed.