ପିଏମ୍‍ ସ୍ୱନିଧି ଯୋଜନା, ବ୍ୟାଙ୍କ୍‍ ଶାଖାକୁ ପଠାଯିବ ଋଣ ଆବେଦନ

ପି.ଏମ୍‍. ସ୍ୱନିଧି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୧୫ଲକ୍ଷ ବୁଲା ବିକାଳି ଋଣ ପାଇଁ ଆବେଦନ କରିଥିବା କେନ୍ଦ୍ର ସରକାର ସୂଚନା ଦେଇ କହିଛନ୍ତି ଯେ ତ୍ୱରିତ ଋଣ ପ୍ରଦାନ ପାଇଁ ଋଣ ଆବେଦନଗୁଡିକୁ ଏଣିକି ସିଧାସଳଖ ବ୍ୟାଙ୍କ୍‍ ଶାଖାକୁ ପଠାଯିବ। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସାଢ଼େ ୫ଲକ୍ଷ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି ଓ ୨ ଲକ୍ଷ ଆବେଦନକାରୀଙ୍କୁ ଋଣ ପ୍ରଦାନ କରାଯାଇ ସାରିଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପି.ଏମ୍‍. ସ୍ୱନିଧି ଯୋଜନା ଅଧୀନରେ ୫୦ଲକ୍ଷ ବୁଲାବିକାଳିଙ୍କୁ ସେମାନଙ୍କର ବ୍ୟବସାୟ ପୁନର୍ବାର ଆରମ୍ଭ କରିବା ପାଇଁ ବନ୍ଧକ ବିହିନ ଋଣ ପ୍ରଦାନ କରାଯିବ।

କରୋନା ଯୋଗୁଁ ଯେଉଁମାନେ ସେମାନଙ୍କର କାମଧନ୍ଦା ହରାଇଛନ୍ତି ସେମାନେ ଏହି ଋଣ ପାଇପାରିବେ। ଋଣ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଋଣ ଆବେଦନଗୁଡ଼ିକୁ ସିଧାସଳଖ ବ୍ୟାଙ୍କ୍‍ ଶାଖାଗୁଡ଼ିକୁ ପଠାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ଅଧିକ ଲୋକଙ୍କୁ ଋଣ ଦିଆଯାଇ ପାରିବ ଓ ଋଣ ପ୍ରଦାନ ପାଇଁ ଲାଗୁଥିବା ସମୟକୁ କମ୍‍ କରାଯାଇପାରିବ। ଏହି ପ୍ରକ୍ରିୟାକୁ ଆହୁରି ଅଧିକ ସହଜ କରିବା ପାଇଁ ଏକ ସପ୍ଟୱେୟାର୍‍ ବିକାଶ କରାଯାଇଛି। ଏହି ସପ୍ଟୱେୟାର୍‍ ଗତ ୧୧ ତାରିଖରୁ କାର୍ଯ୍ୟ କରୁଛି। ଏହି ସପ୍ଟୱେୟାର୍‍ ମାଧ୍ୟମରେ ପ୍ରାୟ ୩ଲକ୍ଷ ଆବେଦନ ବ୍ୟାଙ୍କ୍‍ଗୁଡ଼ିକୁ ପଠାଯିବ। ମନ୍ତ୍ରଣାଳୟ କହିଛି, ଏହିସବୁ ପଦକ୍ଷେପ ଦ୍ୱାରା ପି.ଏମ୍‍. ସ୍ୱନିଧି ଯୋଜନା ତ୍ୱରାନ୍ୱିତ ହେବାର ଆଶା କରାଯାଉଛି।

Comments are closed.