ପ୍ରାରମ୍ଭ ଶିଖର ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ ଓ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ସହ ବାର୍ତ୍ତାଳାପ କରିବେ। ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଏଥିପାଇଁ ୨୦୧୮ରେ କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମ୍‍ଷ୍ଟେକ୍‍ ଶିଖର ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ଭାରତ ବିମ୍‍ଷ୍ଟେକ୍‍ ଷ୍ଟାର୍ଟ ଅପ୍‍ ସମ୍ମିଳନୀର ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିଲେ।

ଏହି ଭର୍ଚୁଆଲ୍‍ ଶିଖର ବୈଠକରେ ସମଗ୍ର ବିଶ୍ୱରୁ ବକ୍ତାମାନେ ଅଂଶଗ୍ରହଣ କରିବେ। ଶିଖର ବୈଠକରେ ବୈଷୟିକ ଜ୍ଞାନ, ନବୀକରଣ, ଉନ୍ନତ ନୀତି ଓ ପଦକ୍ଷେପ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ। ଏଥିରେ ସରକାର ଓ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ ପରସ୍ପର ମଧ୍ୟରେ ମତର ଆଦାନ ପ୍ରଦାନ କରିବେ। ଏହି ଶିଖର ବୈଠକ ଯୁବ ଭାରତୀୟ ଉଦ୍ୟୋଗପତିମାନଙ୍କୁ ଉତ୍ସାହିତ କରିବ ଓ ସେମାନଙ୍କ ସମ୍ମୁଖରେ ଥିବା ସମସ୍ୟା ଓ ଚ୍ୟାଲେଞ୍ଜ୍‍ଗୁଡ଼ିକର ମୁକାବିଲାରେ ସେମାନଙ୍କୁ ସାହାଯ୍ୟ କରିବ। ଏହି ଶିଖର ବୈଠକ ସହ ଷ୍ଟାର୍ଟ ଅପ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ୫ ବର୍ଷ ପୂରଣ କରିବ। ପ୍ରଧାନମନ୍ତ୍ରୀ ୨୦୧୬ ଜାନୁୟାରୀ ୧୬ ତାରିଖରେ ଷ୍ଟାର୍ଟ ଅପ୍‍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଶ୍ୱର ୨୫ଟି ଦେଶ ଓ ୨୦୦ରୁ ଅଧିକ ଆନ୍ତର୍ଜାତିକ ସ୍ତରୀୟ ବକ୍ତା ଏଥିରେ ଅଂଶଗ୍ରହଣ କରୁଥିବାରୁ ଏହା ସର୍ବବୃହତ୍‍ ଷ୍ଟାର୍ଟ ଅପ୍‍ ସମ୍ମିଳନୀ ହେବାକୁ ଯାଉଛି।

Comments are closed.