ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ

0
• ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ
• ନିଉ ଇଣ୍ଡିଆର ବିକାଶରେ ଓଡିଶା ସାଜିବ ଇଞ୍ଜିନ
• ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ଓ ଲୋକାର୍ପଣ କଲେ ନରେନ୍ଦ୍ର ମୋଦୀ
• ଆୟୁଷ୍ମାନ ଭାରତ ଅଧିନରେ ଓଡିଶାରେ ଖୋଲିବ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର
• ରାଜ୍ୟରେ ୧୦ ହଜାର କିଲୋମିଟର ସଡକ ବିସ୍ତାର ନେଟୱାର୍କ ନିର୍ମାଣ ପାଇଁ ଲକ୍ଷ୍ୟ
• ଓଡିଶା ହେବ ତୈଳ, ପ୍ରାକୃତିକ ବାଷ୍ପ ଉଦ୍ୟୋଗର ହବ୍‍
• ପେଟ୍ରୋ ରସାୟନ କ୍ଷେତ୍ରରେ ପାରାଦୀପ ନେବ ଅଗ୍ରଣୀ ଭୂମିକା
• ଦେଶର ସବୁ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ଲକ୍ଷ୍ୟ ହାସଲ ଦିଗରେ ସରକାର ନିକଟତର
• ଜଗଦୀଶପୁର-ଧାମରା ଗ୍ୟାସ ପାଇପ ଲାଇନ ଯୋଗୁଁ ଓଡିଶାର ୫ ଓ ଝାଡଖଣ୍ଡର ୬ ଜିଲ୍ଲା ହେବେ ଉପକୃତ
• ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ପାଇକ ଚେୟାର ରାଷ୍ଟ୍ରବାଦୀ ଆନ୍ଦୋଳନ ଏବଂ ରାଜ୍ୟର ଆଦିବାସୀଙ୍କ ସାମାଜିକ ଆର୍ଥିକ ପରିବର୍ତନ ଉପରେ ଆରମ୍ଭ କରିବ ଗବେଷଣା
• ଲଳିତଗିରି ପତ୍ନତତ୍ତ୍ୱ ସଂଗ୍ରହାଳୟ ଦେଶ ବିଦେଶରୁ ଆକର୍ଷିତ କରିବ ଗବେଷକ ଓ ପର୍ଯ୍ୟଟକ

ଭୁବନେଶ୍ୱର : ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଏହାର ନିଦର୍ଶନ ସ୍ୱରୂପ ଆଜି ରାଜ୍ୟରେ ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖାଯିବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ଗ୍ୟାସ ଯୋଗାଣ, ସଡକ ଓ ସାଂସ୍କୃତିକ ଐତିହ୍ୟ ପରିଯୋଜନା। ଏହିସବୁ ଯୋଜନା ଓଡିଶାର ପ୍ରଗତି ଓ ଜନଜୀବନକୁ ସୁଗମ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତା’ସହିତ ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀଙ୍କ ସକ୍ରିୟ ଯୋଗଦାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୋମବାର ଭୁବନେଶ୍ୱର ନିକଟସ୍ଥ ଅରଗୁଳଠାରେ ଆଇଆଇଟି ଭୁବନେଶ୍ୱରର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ପ୍ରାୟ ୧୨୬୦ କୋଟି ଟଙ୍କା ଏହି ଶିକ୍ଷା ପ୍ରକଳ୍ପରେ ଖର୍ଚ୍ଚ କରାଯାଇଛି। କେନ୍ଦ୍ର ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶକୁ ଅଗ୍ରପ୍ରାଧାନ୍ୟ ଦେଇଛନ୍ତି। ଏହି ଅଞ୍ଚଳର ଜରୁରୀ ସୁବିଧା ଓ ସଂରଚନା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବ ଭାରତକୁ ଦକ୍ଷିଣ ଏସିଆର ପ୍ରବେଶ ଦ୍ୱାର ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହେଉଛି। ଆଇଆଇଟି ଭଳି ପ୍ରତିଷ୍ଠାନ ଓଡିଶାର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଉପଯୋଗ ଦିଗରେ ଉଚ୍ଚତର ଗବେଷଣା କରିବ ଏବଂ ଯୁବଛାତ୍ର ଗୋଷ୍ଠୀକୁ ନବସୃଜନ ଦିଗରେ ଅନୁପ୍ରାଣିତ କରିବ। ଏହି ଅନୁଷ୍ଠାନ ନୂଆ ନୂଆ ଉଦ୍ୟମୀ ଓ ଷ୍ଟାର୍ଟ ଅପ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ।
ପ୍ରଧାନମନ୍ତ୍ରୀ ଆଜି ସଭାସ୍ଥଳରୁ ୧୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଇଜର, ବ୍ରହ୍ମପୁର କ୍ୟାମ୍ପସର ଆଧାରଶିଳା ରଖିଥିଲେ। ସେ କହିଥିଲେ ଯେ, ଆଧୁନିକ ଟେକ୍ନୋଲୋଜି ଉଦ୍ଭାବନ କରିବାରେ ଆଇଆଇଟି, ନାଇଜର ଏବଂ ଆଇଜର ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଓଡିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନେବେ। ସେ କହିଥିଲେ ଯେ, ଆଜି ଇଏସଆଇ ହସ୍ପିଟାଲର ମଧ୍ୟ ଉଦ୍ଘାଟନ କରାଯାଇଛି। ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଛି। ଏହାଛଡା ଆଧୁନିକ ଭିତିଭୂମି ମଧ୍ୟ ହସ୍ପିଟାଲରେ ସ୍ଥାପନ କରାଯାଇଛି। ଏବେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା – ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି। ଏହା ଅଧିନରେ ଓଡିଶାରେ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲାଯିବ। ରାଜ୍ୟର ଦୁର୍ଗମ ଅଂଚଳକୁ ବ୍ୟାପକ ସଡକ ନେଟୱାର୍କ ଯୋଗେ ଯୋଡାଯିବ।
ସୋମବାର, ପ୍ରାୟ ୪୫୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଆଧାରଶିଳା ରଖାଯାଇଛି। କେନ୍ଦ୍ର ସରକାର ଓଡ଼ିଶାରେ ସଡକ ନେଟୱାର୍କ ୧୦ ହଜାର କିଲୋମିଟରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏହା ରାଜ୍ୟରେ ଉଦ୍ୟୋଗ ବିକାଶ ତଥା ପରିବହନ ସୁବିଧାକୁ ସୁଗମ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ଉଜ୍ୱଳ ଭବିଷ୍ୟତ ରହିଛି। ଆଜି ଶିଳାନ୍ୟାସ କରାଯାଇଥିବା ପାରାଦୀପ-ହାଇଦ୍ରାବାଦ ପାଇପ୍‍ ଲାଇନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ ଦେଇ ହାଇଦ୍ରାବାଦରେ ପହଞ୍ଚିବ। ଫଳରେ ପାଇପ୍‍ ଲାଇନ ସଂଲଗ୍ନ ଅଞ୍ଚଳର ଲୋକେ ତଥା ଉଦ୍ୟୋଗ ଜଗତ ପେଟ୍ରୋଲ, ଡିଜେଲ, କିରୋସିନ ଓ ଉଡାଜାହାଜ ଇନ୍ଧନ ସୁବିଧାରେ ପାଇପାରିବେ। ଓଡିଶା କ୍ରମେ ପେଟ୍ରୋଲିୟମ ଶିଳ୍ପର ପ୍ରମୁଖ ହବ୍‍ ହେବାକୁ ଯାଉଛି। ପାରାଦୀପ ଏଥିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଥିଲେ ଯେ, ସବୁ ଘରକୁ ଏଲପିଜି ଯୋଗାଣ ଲକ୍ଷ୍ୟର ନିକଟବର୍ତ୍ତୀ ହେଉଛନ୍ତି କେନ୍ଦ୍ର ସରକାର। ଏହା ବ୍ୟତୀତ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଲାଗି ନିରବଚ୍ଛିନ୍ନ ପ୍ରୟାସ ଜାରୀ ରହିଛି।
ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଉତ୍ତର ପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ପାଇପ୍‍ ଲାଇନ ବିଛା ଯାଉଛି। ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ ପାଇପ୍‍ ଲାଇନ ପ୍ରକଳ୍ପର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ଓଡିଶାର ୫ଟି ଏବଂ ଝାଡଖଣ୍ଡର ୬ଟି ଜିଲ୍ଲା ଉପକୃତ ହେବେ।

ଏହି ସମାରୋହରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ରୂପେ ଅଭିହିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ପାଇକ ବୀରମାନଙ୍କୁ ସମ୍ମାନ ଜଣାଇଥିଲେ। ପାଇକ ବିଦ୍ରୋହର ନାୟକ ରୂପେ ପରିଚିତ ବକ୍ସି ଜଗବନ୍ଧୁଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରାଯିବ। ଏଥିଲାଗି କେନ୍ଦ୍ର ସରକାର ୫ କୋଟି ଟଙ୍କା ଯୋଗଇ ଦେଇଛନ୍ତି। ଏହି ଚେୟାର ମାଧ୍ୟମରେ ରାଷ୍ଟ୍ରବାଦୀ ଆନ୍ଦୋଳନ ଏବଂ ଓଡିଶାର ଆଦିବାସୀମାନଙ୍କ ସାମାଜିକ-ଆର୍ଥିକ ପରିବର୍ତ୍ତନ ଉପରେ ଗବେଷଣା କରାଯିବ। ସେହିପରି ଲଳିତଗିରି ପତ୍ନତତ୍ତ୍ୱ ସଂଗ୍ରହାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ୯.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତ୍ନତତ୍ତ୍ବ ସଂଗ୍ରହାଳୟ ଦେଶ ବିଦେଶରୁ ଗବେଷକ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ତା’ଛଡା ରୋଜଗାର ସୁଯୋଗ ସୃଷ୍ଟି କରିବ। ଆଇଆଇଟି ସମାରୋହରେ ପ୍ରଧାନମନ୍ତ୍ରୀ ରିମୋଟ ଜରିଆରେ ଏନ୍‍ଏଚ-୧୬ ଜାତୀୟ ରାଜପଥର ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ କରିବା, ଖଣ୍ଡଗିରି ଫ୍ଲାଏଓଭର, ଏନ୍‍ଏଚ-୫ ଅନ୍ତର୍ଗତ କଟକ-ଅନୁଗୁଳ ସେକ୍ସନର ୪ ଲେନ କାର୍ଯ୍ୟ ଏବଂ ଟାଙ୍ଗି-ପୁଇଁତଳା ସେକ୍ସନର ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଥିଲେ।
ପ୍ରଧାନମନ୍ତ୍ରୀ କହିଲେ ଯେ, ଏହିସବୁ ଭିତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନିଉ ଇଣ୍ଡିଆର ଅଭ୍ୟୁଦୟ ହେବ। ଓଡିଶା ନିଉ ଇଣ୍ଡିଆ ବିକାଶର ଇଞ୍ଜିନ ସାଜିବ ବୋଲି କହିଥିଲେ। ସମାରୋହରେ ସ୍ୱାଗତ ଭାଷଣ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ, ଆଜି ହେଉଛି ଏକ ଐତିହାସିକ ଦିନ। ପାଇକ ଆନ୍ଦୋଳନର ସ୍ମୃତି ବହନ କରୁଥିବା ଏକ ସ୍ମାରକୀ ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ପାଇକମାନଙ୍କ ଦ୍ୱାରା ପ୍ରକୃତ ମୁକ୍ତି ସଂଗ୍ରାମ ବରୁଣେଇ ପାହାଡ ପାଖରୁ ଆରମ୍ଭ ହୋଇଥିଲା। ଏହି ସ୍ମାରକୀର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ମାଟିରୁ ଓଡିଶା ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହାର ଅଂଶ ସ୍ୱରୂପ ପ୍ରଧାନମନ୍ତ୍ରୀ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଶୁଭାରମ୍ଭ କରୁଛନ୍ତି। କେନ୍ଦ୍ର ସରକାର ୪ର୍ଥ ଶିଳ୍ପ ବିପ୍ଳବରୁ ପଞ୍ଚମ ପିଢ଼ୀ ଆଡକୁ ଅଗ୍ରସର ହେଉଛନ୍ତି। ଆଇଆଇଟି ଭୁବନେଶ୍ୱର ଜ୍ଞାନ ଓ ଗବେଷଣାର ନୂତନ କେନ୍ଦ୍ର ହେବାକୁ ଯାଉଛି। ନାଇଜର ଓ ଆଇଜର ଏହି ଅଭ୍ୟୁଦୟକୁ ଆହୁରି ବଳ ଦେବ। ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply