ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରିବେନି ମୋଦୀ, ଓମାନ-ଇରାନ ଦେଇ ଏସସିଓ ଶିଖର ସମ୍ମିଳନୀକୁ ଯିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ଥାନର ରାଜଧାନୀ ବିସ୍କେକରେ ଜୁନ୍‍ ୧୩ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ଆକାଶ ମାର୍ଗର ବ୍ୟବହାର କରିବେ ନାହିଁ। ବିଦେଶ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି।
ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନ, ଇରାନ ଏବଂ ମଧ୍ୟ ଏସିଆ ଦେଶ ଦେଇ ବସ୍କେକ ଯିବେ। ବିସ୍କେକ ଯିିବା ପାଇଁ ଭାରତ ସରକାର ଦୁଇଟି ବିକଳ୍ପ ବାହାର କରିଥିଲେ। ଏବେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ବିମାନ ଓମାନ, ଇରାନ ଏବଂ ମଧ୍ୟପ୍ରାଚ୍ୟ ଏସିଆ ଆକାଶ ମାର୍ଗ ଦେଇ ଯିବ। ଏହି ଶିଖର ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଉପସ୍ଥିତ ରହିବେ। ମୋଦୀ ୧୩ ଓ ୧୪ ଦୁଇ ଦିନ ଏସ୍‍ସିଓ ଶିଖର ସମ୍ମିଳନୀରେ ଭାଗ ନେବେ।

ପ୍ରକାଶ ଯେ ଗତ ଫେବୃୟାରୀ ୨୬ରେ ବାଲାକୋଟରେ ଥିବା ଜୈଶ ଆତଙ୍କବାଦୀ ଶିବିରରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ କରାଯିବା ପରଠାରୁ ପାକିସ୍ତାନ ବିମାନ ଉଡ଼ାଣ ପାଇଁ ଥିବା ନିଜ ବାୟୁସୀମାର ୧୧ଟି ମାର୍ଗକୁ ବନ୍ଦ କରିଦେଇଥିଲା। ନିକଟରେ ଦକ୍ଷିଣ ପାକିସ୍ତାନ ଅଞ୍ଚଳରେ ଆକାଶମାର୍ଗରେ ମାତ୍ର ୨ଟି ରାସ୍ତା ଖୋଲାଯାଇଥିଲା। ବିସ୍କେକ୍‌ ଗସ୍ତକୁ ଦୃଷ୍ଟିରେ ରଖି ପାକିସ୍ତାନ ଆକାଶ ମାର୍ଗ ଦେଇ ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଲୋଡାଯାଇଥିଲା। ଅନୁମତି ମିଳିବାରେ ବିଳମ୍ବ ହେବା ପରେ ମୋଦୀ ଦ୍ବିତୀୟ ବିକଳ୍ପ ବାଛିଛନ୍ତି।

Comments are closed.