ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ସୋମବାର ସକାଳ ୧୧ଟା ସମୟରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭାଗ ନେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ।

ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ……..

“ନମସ୍କାର”, ପୁଣି ଥରେ ଆପଣଙ୍କ ବନ୍ଧୁ ଆପଣଙ୍କ ପାଖରେ ପହଞ୍ଚିଛି। ଏହି ଦଶନ୍ଧି ହେଉଛି ସମ୍ଭାବନାର ଦଶନ୍ଧି ଏଥିରେ ଆପଣମାନଙ୍କ ଯୋଗଦାନ ମହତ୍ଵପୂର୍ଣ୍ଣ। ମୋର ସବୁ କାମ ଅପେକ୍ଷା ମୋତେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଖୁବ୍ ଭଲଲାଗେ। ପିଲାଙ୍କ ସହ ମିଶିଲେ ମୋତେ ବିଭିନ୍ନ ଅନୁଭୂତି ମିଳିଥାଏ। ପରୀକ୍ଷା ପୂର୍ବରୁ ପିଲାମାନଙ୍କର ଅଭିବାବକମାନେ ମଧ୍ୟ ଚାପରେ ରହିଥାନ୍ତି। ତେଣୁ ମୋତେ ଆପଣଙ୍କ ବାପା ଓ ମାଆଙ୍କ ବୋଝ ହ୍ରାସ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ଅନେକ ସମୟରେ ବାହ୍ୟ ପରିସ୍ଥିତି ପିଲାଙ୍କ ମୁଡ଼ ଅଫ୍ କରିଦିଏ। ସମାଜର ଯେକୌଣସି ବ୍ୟକ୍ତି ମଧ୍ୟ ଏମିତି ପରିସ୍ଥିତିର ଶିକାର ହୋଇଥାନ୍ତି। କିନ୍ତୁ ଏଭଳି ସମୟରେ ନିଜେ ନିଜକୁ ବୁଝି ପ୍ରେରଣା ଦେବା ବହୁତ ଜରୁରୀ।

ବିଫଳତାରୁ ବି ଆମେ ସଫଳତାର ଶିକ୍ଷା ପାଇପାରିବା। ଯଦି ଆପଣ ବିଫଳ ହେଉଛନ୍ତି ତେବେ ଆଗକୁ ବଢନ୍ତୁ ନଚେତ୍ ସେଇଠି ଅଟକିଯିବେ।

ପ୍ରଧାନମନ୍ତ୍ରୀ କ୍ରିକେଟରମାନଙ୍କର ମଧ୍ୟ ଉଦାହରଣ ଦେଇଛନ୍ତି। ସେ କ୍ରିକେଟର ଅନୀଲ କୁମ୍ବଲେଙ୍କର ଉଦାହରଣ ଦେଇ କହିଛନ୍ତି, କୋଲ୍‌କାତାରେ ଅନୁଷ୍ଠିତ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚରେ ସମୟରେ ଅନୀଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ। କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ତାହା ଆମ ଉପରେ ନିର୍ଭର କରେ।

ଦୁନିଆ ବହୁତ ବଦଳି ଗଲାଣି, ସମ୍ଭାବନା ମଧ୍ୟ ବଢି ଗଲାଣି। କେବଳ ପରୀକ୍ଷାରେ ପାଉଥିବା ନମ୍ବର ଜୀବନ ନୁହେଁ। ପରୀକ୍ଷାରେ ରଖିଥିବା ନମ୍ବର ଗୁରୁତ୍ଵପୂୂର୍ଣ୍ଣ ହୋଇପାରେ ମାତ୍ର ଏହା ସବୁକିଛି ନୁହେଁ। ପରୀକ୍ଷାରେ ନମ୍ବର କମିଗଲେ ପୃଥିବୀ ଓଲଟି ଗଲା ବୋଲି ବାପା-ମାଆମାନେ ଭାବୁଛନ୍ତି। ଅନେକ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ପରୀକ୍ଷା ହିଁ ଜୀବନ ଆମକୁ ସେହି ଭାବନାରୁ ବାହାରକୁ ଆସିବାକୁ ପଡ଼ିବ। ସମସ୍ତଙ୍କୁ ଜୀବନରେ କିଛି ନା କିଛି ବିଶେଷ ତଥା ଅଧିକ କାର୍ଯ୍ୟ କରିବା ଉଚିତ୍।

ଦୈନିକ ଘଣ୍ଟାଏ ଦୁଇଘଣ୍ଟା ପ୍ରଯୁକ୍ତିବିଦ୍ୟା କବଳରୁ ମୁକ୍ତ ରହି ପରିବାରର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ସେ କହିଛନ୍ତି, ବହୁତ ଲୋକ ସମୟ ଅନୁସାରେ କାମ କରି ପାରନ୍ତି ନାହିଁ। ସ୍ମାର୍ଟ ଫୋନ ସେମାନଙ୍କର ବହୁତ ସମୟ ନଷ୍ଟ କରିଥାଏ। ପ୍ରଯୁକ୍ତିବିଦ୍ୟାକୁ ଜୀବନର ସାଥୀ ଭାବରେ ଯୋଡନ୍ତୁ କିନ୍ତୁ ଏହାକୁ ଜୀବନର ଅଂଶ ନକରନ୍ତୁ।

ଅଭିବାବକମାନଙ୍କୁ ଉଦବୋଧନ ଦେଇ କହିଲେ, ଅଭିବାବକମାନେ ପିଲାର ରୁଚି ଉପରେ ଗୁରୁତ୍ଵ ଦେବା ଆବଶ୍ୟକ। ସାରା ଜୀବନ ଉନ୍ନତି କରି ଚାଲିବାକୁ ପିଲାମାନଙ୍କୁ ସହାୟତା କରନ୍ତୁ, ମାତ୍ର ପିଲାଙ୍କ ଉପରେ ଚାପ ପକାନ୍ତୁ ନାହିଁ।

Comments are closed.