୨୧ରୁ ମୋଦୀଙ୍କ ୭ ଦିନିଆ ଆମେରିକା ଗସ୍ତ, ଆକାଶ ପଥ ଖୋଲିବାକୁ ମନାକରିବାରୁ ପାକିସ୍ତାନକୁ ନିନ୍ଦା

0

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ରୁ ୨୭ ସେପ୍ଟେମ୍ବର ଯାଏଁ ଆମେରିକା ଗସ୍ତରେ ଯିବେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରିବେ ଏବଂ ମିଳିତ ଜାତିସଂଘର ସାଧାରଣ ପରିଷଦର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ବିଦେଶ ସଚିବ ବିକ୍ରମ ଗୋଖଲେ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଏହାସହ ବିକ୍ରମ ଗୋଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆକାଶ ପଥ ଖୋଲିବାକୁ ମନା କରିବାରୁ ପାକିସ୍ତାନକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଆକାଶ ପଥ ଖୋଲିବାକୁ ମନାକରିବା ଏକ ଦୁର୍ଭାଗ୍ୟଜନକ କଥା। ଏଠାରେ ଗୋଟିଏ ଦେଶ ଅନ୍ୟ ଦେଶର ଜଣେ ଶୀର୍ଷ ନେତାଙ୍କୁ ନିଜ ଆକାଶ ପଥରେ ଯିବାକୁ ଅନୁମତି ଦେଇନାହିଁ । ଏହାବାଦ ଗୋଖଲେ କହିଥିଲେ ଯେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପ୍ରତି ବର୍ଷ ଜଣେ ବିଶ୍ୱ ନେତାଙ୍କୁ ‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନିତ କରିଥାଏ। ଚଳିତ ବର୍ଷ ଏହି ସମ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରିବା ପାଇଁ ଫାଉଣ୍ଡେସନ ନିଷ୍ପତ୍ତି ନେଇଛି। ଭାରତରେ ସ୍ୱଚ୍ଛତା ଅଭିଯାନ ପାଇଁ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶନିବାର ହଷ୍ଟନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଗୋଟିଏ ଦିନ ବିତାଇବେ ଓ ଭାରତୀୟ ଆମେରିକୀୟ ସମୂଦାୟଙ୍କ ଦ୍ୱାରା ଆୟୋଜିତ ‘ହାଉଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗଦେବେ। ୨୧ରୁ ସେପ୍ଟେମ୍ବର ୨୭ ଯାଏଁ ମୋଦୀ ଆମେରିକାରେ ରହିବେ। ସେପ୍ଟେମ୍ବର ୨୭ରେ ମୋଦୀ ମିଳିତ ଜାତିସଂଘର ସାଧାରଣ ପରିଷଦର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବେ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସେପ୍ଟେମ୍ବର ୨୪ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ନେତୃତ୍ୱର ବିଷୟ : ସମସାମୟିକ ବିଶ୍ୱରେ ଗାନ୍ଧୀଙ୍କ ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାରେ ଭାଗ ନେବେ।

Leave A Reply