ୟୁଏନଜିଏରେ ମୋଦୀଙ୍କ ଦମଦାର ଅଭିଭାଷଣ: ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛି

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତୀୟ ସମୟ ଅନୁସାରେ ରାତି ୭ଟା ୩୩ରେ ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ (ୟୁଏନଜିଏ)ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି।

ମୋଦୀ ନିଜ ଅଭିଭାଷଣରେ କହିଛନ୍ତି ଯେ ମିଳିତ ଜାତିସଂଘ ମହାସଭାର ୭୪ତମ ଅଧିବେଶନକୁ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ସମ୍ବୋଧିତ କରିବା ମୋ ପାଇଁ ଗୌରବର ଅବସର ଅଟେ। ଏହି ଅବସର ଏଥିପାଇଁ ସ୍ୱତନ୍ତ୍ର ଯେ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ସତ୍ୟ ଏବଂ ଅହିଂସାର ତାଙ୍କ ବାର୍ତ୍ତା ଆଜି ବିଶ୍ୱ ପାଇଁ ପ୍ରାସଙ୍ଗିକ। ଏବେ ବିଶ୍ୱର ସବୁଠୁ ବଡ଼ ସ୍ୱଚ୍ଛତା ଅଭିଯାନ ଭାରତରେ ସମ୍ପନ୍ନ ହୋଇଛି। କେବଳ ୫ ବର୍ଷରେ ୧୧ କୋଟିରୁ ଊର୍ଦ୍ଧ୍ବ ଶୌଚାଳୟ ନିର୍ମାଣ କରାଯାଇଛି। ଚଳିତ ବର୍ଷ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ ହୋଇଛି। ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ରର ଲୋକମାନେ ସବୁଠୁ ଅଧିକ ଭୋଟ ଦେଇ ମୋତେ ସରକାର ଗଠନ କରିବାକୁ ଜନାଦେଶ ଦେଇଛନ୍ତି। ମୁଁ ଏଠାରେ ସମ୍ବୋଧିତ କରୁଥିବାବେଳେ ଆମ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବଡ଼ ଅଭିଯାନ ଚାଲିଛି। ଆମେ ଜଳ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ସହ ୧୫ କୋଟି ଲୋକଙ୍କୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ୨୦୨୨ରେ ଭାରତ ନିଜ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ୨୦୨୨ ସୁଦ୍ଧା ଆମେ ଗରିବଙ୍କ ପାଇଁ ୨ କୋଟି ଘରର ନିର୍ମାଣ କରିବୁ। ଆମେ ୨୦୨୫ ସୁଦ୍ଧା ଭାରତକୁ ଟିବି ମୁକ୍ତ କରିବାକୁ କାର୍ଯ୍ୟ କରୁଛୁ। ଭାରତରେ ଦୂର ଓ ଅପହଞ୍ଚ ଅଞ୍ଚଳ ପର୍ଯ୍ୟନ୍ତ ୨.୫୦ ଲକ୍ଷ କିଲୋମିଟର ସଡ଼କ ନିର୍ମାଣ କରିବାକୁ ଯାଉଛୁ। ଭାରତରେ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସେବା ଯୋଜନା ଆୟୁଷ୍ମାନ ଚାଲିଛି। ଏଥିରେ ପ୍ରତି ବର୍ଷ ୫୦ ଲକ୍ଷ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ଯୋଗାଇ ଦିଆଯାଉଛି।ଆମ ଦେଶର ସଂସ୍କୃତି ହଜାର ବର୍ଷ ପୁରୁଣା ଅଟେ। ଆମ ଦେଶ ସଂସ୍କୃତିର ଏକ ଜୀବନ୍ତ ପରମ୍ପରା ରହିଛି, ଯିଏ ବିଶ୍ୱକୁ ସ୍ୱପ୍ନକୁ ନିଜ ଭିତରେ ସମାହିତ ରଖିଛି। ଆମ ସଂସ୍କାର, ଆମ ସଂସ୍କୃତି ଜୀବରେ ଶିବ ଦେଖିଥାଏ। ଆମର ପ୍ରେରଣା ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ। ଆମେ ୧୩୦ କୋଟି ଭାରତୀୟଙ୍କୁ କେନ୍ଦ୍ରରେ ରଖି ପ୍ରୟାସ କରୁଛୁ ଓ ଏ ପ୍ରୟାସ ସାରା ବିଶ୍ୱର, ସବୁ ଦେଶର ଓ ସବୁ ସମଜାର। ଆମ ପ୍ରୟାସ ସାରା ବିଶ୍ୱ ପାଇଁ। ଆମେ ଦୁନିଆକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛୁ। ତେଣୁ ଆତଙ୍କବାଦ ବିରୋଧରେ ବିଶ୍ୱକୁ ସତର୍କ କରାଇବାର ଗମ୍ଭୀରତା ଆମ ପାଖରେ ଅଛି। ଏହି ଅବସରରେ ମୋଦୀ ଭାରତର ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇଥିଲେ ଓ ଶିକାଗୋର ବିଶ୍ୱ ଧର୍ମ ସଂସଦରେ ବିବେକାନନ୍ଦ ଦେଇଥିବା ଶାନ୍ତିର ବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ।

ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଅଭିଭାଷଣ। ଏହା ପୂର୍ବରୁ ମୋଦୀ ୟୁଏନଜିଏରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସର୍ବ ପ୍ରଥମେ ମରିଶସର ରାଷ୍ଟ୍ରପତି ଓ ଅନ୍ୟ ସଦସ୍ୟ ରାଷ୍ଟ୍ରର ନେତାମାନେ ନିଜ ଅଭିଭାଷଣ ରଖିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପାଇଁ ବହୁ ସଂଖ୍ୟାର ଲୋକେ ମିଳିତ ଜାତିସଂଘ ସାଧାରଣ ପରିଷଦ ବାହାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ସେମାନେ ୟୁଏନଜିଏ ବାହାରେ ଭାରତ ମାତା କି ଜୟର ସ୍ଲୋଗାନ ଦେଇଥିଲେ।

Comments are closed.