ସ୍ବାଧୀନତା ପରେ ଲେଖାଯାଇଥିବା ଇତିହାସରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରାଯାଇଛି: ପ୍ରଧାନମନ୍ତ୍ରୀ

କଲକାତା:ସ୍ବାଧୀନତା ପରେ ଦେଶରେ ଲେଖାଯାଇଥିବା ଇତିହାସରେ ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାରଠାରୁ ଦୁଇ ଦିନିଆ କଲକାତା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ପୁନରୁଦ୍ଧାର ହୋଇଥିବା ପୁରୁଣା କରେନ୍ସି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୋଦୀ କହିଥିଲେ ସ୍ବାଧୀନତା ପରେ ଦେଶର ଇତିହାସ ବିଷୟରେ ଯେଉଁ ଐତିହାସିକ ଲେଖିଛନ୍ତି, ସେ ଘଟଣାକୁ ସଠିକଭାବେ ନବୁଝି ଏବଂ ଘଟଣାର ଭିତରକୁ ନଯାଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅଣଦେଖା କରିଛନ୍ତି। କିଛି ଲୋକ ବାହାରୁ ଆସି ସିଂହାସନ ଆହରଣ କରିବା ପାଇଁ ନିଜର ଭାଇ ଏବଂ ସମ୍ପର୍କୀୟଙ୍କୁ ହତ୍ୟାକଲେ। ଏହା ଆମର ଇତିହାସ ନୁହେଁ ବୋଲି ମୋଦୀ କହିଛନ୍ତି।

ମୋଦୀ ଏହି ଅବସରରେ କହିଛନ୍ତି ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ବ୍ରିଟିଶ ଶାସନ ସମୟରେ ଏବଂ ଏହାପରେ ମଧ୍ୟ ଲେଖାଯାଇଥିବା ଇତିହାସରେ ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଲୋକ ଲୋଚନକୁ ଅଣାଯାଇନାହିଁ।। ୧୯୦୩ ମସିହାରେ ରବିନ୍ଦ୍ର ନାଥ ଟାଗୋର ଲେଖିଥିବା ଉକ୍ତିକୁ  ଉଦ୍ଧାର କରି ମୋଦୀ କହିଥିଲେ   ‘ଭାରତର ଇତିହାସ ତାହା ନୁହେଁ ଯାହା ବିଦ୍ୟାର୍ଥୀ ପରୀକ୍ଷାରେ ଲେଖିବାପାଇଁ ପଢୁଛନ୍ତି’।

ମୋଦୀ କହିଥିଲେ ରାଷ୍ଟ୍ର ନିର୍ମାଣରେ ମହତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିବା ସଂସ୍କୃତି ଏବଂ ଐତିହ ଗୁଡିକ ହିଁ ଦେଶକୁ ସଂଯୋଗ କରି ରଖିଥାଏ। ଆମେ ସମଗ୍ର ବିଶ୍ବକୁ ଆମ ଦେଶର ଐତିହ ଓ ସଂସ୍କୃତିକୁ ଦେଖାଇବାକୁ ଚାହଁଛିୁ। ଭାରତକୁ ଐତିହ ଏବଂ ସଂସ୍କୃତିର ପର୍ୟ୍ୟଟନ କେନ୍ଦ୍ର କରିବାକୁ ଚାହୁଁଛୁ। ଦେଶର ପ୍ରତିଷ୍ଠିତ ୫ଟି ସଂଗ୍ରାହଳୟକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଆଧାରରେ ବିକଶିତ କରାଯିବ ଏବଂ କଲକାତାରୁ ହିଁ ଭାରତୀୟ ସଂଗ୍ରାହଳୟର ଏହି କାର୍ୟ୍ୟ ଆରମ୍ଭ ହେବ ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ ଶନିବାରଠାରୁ ଦୁଇ ଦିନିଆ କଲକାତା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ମୋଦୀ କଲକାତାର ପୁନରୁଦ୍ଧାର ହୋଇଥିବା ୪ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ୟ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ  ପୁରୁଣା କରେନ୍ସି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା ବେଳେ ଆସନ୍ତାକାଲି ବେଲଭେଡିଅର ହାଉସ, ମେଟକାଫ ହାଉସ ଏବଂ ଭିକ୍ଟୋରିଆ ମେମୋରିଆଲ ହଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ୟ୍ୟକ୍ରମ ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ୪ଟି ଐତିହାସିକ ଅଟ୍ଟାଳିକାର ପୁନରୁଦ୍ଧାର କରିଛି। ଏହି ପ୍ରକ୍ରିୟାରେ ଅଟ୍ଟାଳିକାଗୁଡ଼ିକର ଐତିହାସିକ ସ୍ୱରୂପକୁ ଅକ୍ଷୂର୍ଣ୍ଣ ରଖାଯାଇଛି।

Comments are closed.