ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଉତ୍ସର୍ଗୀକୃତ ନେତା ଥିଲେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଜେପିର ଆଦର୍ଶ ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ବଳିଦାନ ଦିବସରେ ରବିବାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଉତ୍ସର୍ଗୀକୃତ ଦେଶପ୍ରେମୀ ଓ ଗର୍ବିତ ଜାତୀୟତାବାଦୀ ନେତା ଥିଲେ। ସେ ତାଙ୍କର ସାରା ଜୀବନ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉତ୍ସର୍ଗ କରିଥିଲେ। ସେ ଏକ ଓ ଅଖଣ୍ଡ ଭାରତର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ୧୩୦ କୋଟି ଭାରତୀୟଙ୍କୁ ଏବେ ମଧ୍ୟ ଅନୁପ୍ରାଣିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଜେପି ସଭାପତି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି ନୂଆଦିଲ୍ଲୀସ୍ଥିତ ଦଳର ସଦର କାର୍ଯ୍ୟାଳୟରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାର୍ଯ୍ୟକାରୀ ଅଧ୍ୟକ୍ଷ ନଡ୍ଡା ରାଜଧାନୀର ସହିଦ ପାର୍କକୁ ଯାଇ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶ ପାଇଁ ବିପୁଳ ଅବଦାନ ରଖିଥିବା ଡକ୍ଟର ମୁଖାର୍ଜୀଙ୍କୁ ସର୍ବଦା ଦେଶବାସୀ ମନେରଖିବେ।

ପଶ୍ଚିମବଙ୍ଗରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହେଉଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟ ଶକ୍ତିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ କୋଲକାତାର କେଓରତାଲାରେ ଥିବା ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ରାଜ୍ୟ ବିଜେପି ସଭାପତି ଏବଂ ସାଂସଦ ଦିଲ୍ଲୀପ ଘୋଷ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ମୁଖାର୍ଜୀଙ୍କ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

Comments are closed.