ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ; ଏମଏସ୍‍ଏମ୍‍ଇ କ୍ଷେତ୍ରର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ

ନୂଆଦିଲ୍ଲୀ : ଭାରତୀୟ ସାମଗ୍ରୀଗୁଡ଼ିକୁ ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପ୍ରଭାବଶାଳୀ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସ୍ଥାନୀୟ ସାମଗ୍ରୀ ଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସରକାର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ଓ ଦେଶର ମେକ୍‍ ଇନ୍‍ ଇଣ୍ଡିଆ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସେ କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ତୃତୀୟାଂଶ ସ୍ଥାନ ଅଧିକାର କରେ ଓ ଦେଶର ଅର୍ଥନୈତକ ଅଭିବୃଦ୍ଧିରେ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ୮ବର୍ଷ ଧରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
କ୍ଷେତ୍ରର ଉନ୍ନତି ପାଇଁ ସରକାର ବଜେଟ୍‍ ପରିମାଣ ଶତକଡା ୬୫୦ ଭାଗରୁ ଅଧିକ ବୃଦ୍ଧି କରିଛନ୍ତି । ସେ କହିଛନ୍ତି ସରକାର ଏହି କ୍ଷେତ୍ରକୁ ସର୍ବାଧିକ ସହାୟତା ଦେଉଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ପାଇଁ ୫୦ହଜାର କୋଟି ଟଙ୍କାର ଆତ୍ମନିର୍ଭରଶୀଳ ପାଣ୍ଠି ପ୍ରଦାନ କରାଯାଇଛି । ଶ୍ରୀ ମୋଦି କହିଛନ୍ତି ଯେତେବେଳେ କୌଣସି ବଡ ସଙ୍କଟ ଆସିଛି ସେତେବେଳେ ସରକାର କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଜରୁରୀ କାଳୀନ ନିଶ୍ଚିତ ଋଣ ଯୋଜନା ଅଧୀନରେ କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସାଢ଼େ ୩ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ସରକାର ସେବା କ୍ଷେତ୍ର ଓ ଉତ୍ପାଦନ କ୍ଷେତ୍ର ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ସର୍ବସାଧାରଣ ସଂଗ୍ରହ ବ୍ୟବସ୍ଥାର ଏକ ଅଂଶ ହେବା ପାଇଁ ସରକାର ଏହାକୁ ଏକ ମଞ୍ଚ ଯୋଗାଇଛନ୍ତି ।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଉତ୍‍ଥାନ ଓ କାର୍ଯ୍ୟ ସମ୍ପାଦନା ବୃଦ୍ଧି ଯୋଜନା, ଏହି କ୍ଷେତ୍ରର ପ୍ରଥମ ରପ୍ତାନୀକାରୀ ମାନଙ୍କ ଦକ୍ଷତାବୃଦ୍ଧି ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ୨୦୨୨-୨୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସେ ମଧ୍ୟ ହାକାଥନ୍‍ ୨୦୨୨ର ଫଳାଫଳ ଘୋଷଣା କରିଛନ୍ତି ଓ ଜାତୀୟ ଏମ୍‍ଏସ୍‍ଏମ୍‍ଇ ପୁରସ୍କାରମାନ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ୭୫ଟି ଏମ୍‍ଏସ୍‍ଏମ୍‍ଇକୁ ଡିଜିଟାଲ ଅଂଶଧନ ସାର୍ଟିଫିକେଟ୍‍ ଜାରି କରିଛନ୍ତି। 

Comments are closed.