ଓଡ଼ିଶାର ବିପତ୍ତି ସମୟରେ ସବୁବେଳେ ତତ୍ପର ଓ ସକ୍ରିୟ ଭାବେ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ବାତ୍ୟା ଓ ବନ୍ୟା ପ୍ରବଣ ଓଡ଼ିଶା ପ୍ରତି ସବୁବେଳେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିପତ୍ତି ସମୟରେ ଆସି ରାଜ୍ୟର ବିପନ୍ନଙ୍କ ସହିତ ଛିଡ଼ା ହେବା ଠାରୁ ଆରମ୍ଭ କରି ବିପର୍ୟ୍ୟୟ ଜନିତ କ୍ଷତି ଭରଣା ଲାଗି କେନ୍ଦ୍ରୀୟ ସହାୟତାର ଭଣ୍ଡାର ଖୋଲିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେବେ ବି କୁଣ୍ଠାବୋଧ କରିନାହାନ୍ତି।
ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ମଧ୍ୟରେ, ବିପତ୍ତି ସମୟରେ ସେ ଓଡ଼ିଶାକୁ ମୋଟ୍ ତିନି ଥର ଗସ୍ତ କରିଛନ୍ତି। ଶେଷ ଥର ପାଇଁ ସେ ଗତକାଲି ଓଡ଼ିଶା ଗସ୍ତରେ ଆସିଥିଲେ।

image Source : PIB

ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି । ସେଥିପାଇଁ ସେ ଓଡ଼ିଶାର କଲ୍ୟାଣ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ବୋଲି ବହୁ ରାଜ୍ୟବାସୀ ମତ ଦିଅନ୍ତି।
ଗତବର୍ଷ ମେ ମାସରେ-ସାରା ଭାରତ କୋଭିଡର ପ୍ରଥମ ଲହରୀ ସହିତ ସଂଘର୍ଷ କରୁଥିଲା। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ଏବଂ ଟିକା ସେତେବେଳେ ସୁଦ୍ଧା ବିକଶିତ ହୋଇନଥିଲା।
ଏପରି ଏକ ସମୟରେ ଅମ୍ଫନ ବାତ୍ୟା ଆସିଥିଲା। ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ୨୦୨୦ ମେ ୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ନିରୀକ୍ଷଣ କରିଥିଲେ। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ।
ବିପର୍ୟ୍ୟୟ ପରିଚାଳନା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଏ ସମ୍ପର୍କରେ ଅଧିକ ଜାଣିବାକୁ ପାଇଥିଲେ।
ଅନୁରୂପ ଭାବେ ଯେତେବେଳେ ୨୦୧୯ ମେରେ ଓଡ଼ିଶାରେ ଫଣି ବାତ୍ୟା ମାଡ଼ ହୋଇଥିଲା, ସେତେବେଳେ ମଧ୍ୟ ଦେଶ ନିର୍ବାଚନୀ ବାତାବରଣରେ ବ୍ୟସ୍ତ ରହିଥିଲା। କିନ୍ତୁ ଫନି ବାତ୍ୟା ଯେପରି ଭାବେ ଜଗତର ନାଥ ଜଗନ୍ନାଥଙ୍କ ନିବାସସ୍ଥଳୀ ପୁରୀରେ ଭୟଙ୍କର ବିପର୍ୟ୍ୟୟ ଘଟାଇଥିଲା ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶେଷ ଭାବେ ବିବ୍ରତ କରିଥିଲା। ମେ ୬ ତାରିଖରେ ସେ ନିଜର ନିର୍ବାଚନୀ ଶୋଭାଯାତ୍ରା ବାତିଲ କରି ଓଡ଼ିଶା ଗସ୍ତରେ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ଏବଂ ଲୋକମାନଙ୍କୁ ସହାୟତା କରିବା ଲାଗି ଦୁଇ ନେତା ମିଳିତ ଭାବେ କାର୍ୟ୍ୟ କରିବାକୁ ସହମତ ହୋଇଥିଲେ।

ନିକଟରେ ‘ୟାସ’ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବାର ତୁରନ୍ତ ପରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ଭୁବନେଶ୍ବର ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ଏଥିସହିତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ପାଇଁ ତୁରନ୍ତ ୫୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଥିଲେ। ଏଥିସହିତ ବାତ୍ୟାରେ ମୃତକଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଓ ଗୁରୁତର ଆହତମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହାଛଡ଼ା ଏକ ମନ୍ତ୍ରିସ୍ତରୀୟ ସମିତି ପଠାଇ କ୍ଷୟକ୍ଷତିର ବିସ୍ତୃତ ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ସମସ୍ତ ପଦକ୍ଷେପ ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସମ୍ବେଦନଶୀଳତାକୁ ପ୍ରଦର୍ଶିତ କରୁଛିି।

Comments are closed.