ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ – ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ

ଭୁବନେଶ୍ବର: ମହାବାତ୍ୟା ‘ଅମ୍ପନ’ ଯୋଗୁଁ ରାଜ୍ୟର ୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏସବୁ ଅନୁଧ୍ୟାନ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଅପରାହ୍ଣରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ବାୟୁସେନାର ହେଲିକପ୍ଟର ଯୋଗେ ଉପକୂଳ ଜିଲାଗୁଡ଼ିକର ମହାବାତ୍ୟା ଜନିତ କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ହେଲିକପ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅନୁଧ୍ୟାନ କରି ଫେରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗକୁ ଯାଇ ଆକାଶମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବେ। ପରେ ଅପରାହ୍ନରେ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ବିମାନବନ୍ଦର ପରିସରରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସେଠାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ ଅପରାହ୍ନ ୨.୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ୨.୫୫ ମିନିଟରେ ଏମଆଇ-୧୭ ହେଲିକପ୍ଟରରେ ସିଧା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ସରକାରଙ୍କ କିଛି ଉଚ୍ଚପଦାଧିକାରୀ ଉପସ୍ଥିତ ରହିବେ। ପାଖାପାଖି ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ। ଅପରାଣ ୪.୫୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଫେରି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ମରାମତି କାର୍ଯ୍ୟର ସମୀକ୍ଷା କରିବେ। ସନ୍ଧ୍ୟା ୬.୧୫ ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ।

ସୂଚନା ଯୋଗ୍ୟ, ଅମ୍ପନ ଯୋଗୁଁ ଓଡିଶାର ୪ ଜିଲା କ୍ଷତିଗ୍ରସ୍ତ ହୋଇଛି। ଫସଲ ଲୋଟିଛି, ବିଜୁଳି ଖୁଣ୍ଟ ଭାଙ୍ଗିଛି। ହଜାର ହଜାର ଏକର ଜମିର ଫସଲ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ‘ଅମ୍ପନ’ ପ୍ରଭାବରେ ଗଭୀର ପ୍ରଭାବିତ ହୋଇଛି । ରାଜ୍ୟରେ ୭୨ ଜଣ ମୃତ୍ୟୁବରଣ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଇତି ମଧ୍ୟରେ ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଏୟାରପୋର୍ଟ ନିର୍ଦ୍ଦେଶକ ଭି ଭି ରାଓ, ଅତିରିକ୍ତ ଡିଜି ପ୍ରିୟଦର୍ଶୀ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।

ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅମ୍ପନ କ୍ଷତିର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ଅମ୍ପନ ଯୋଗୁଁ ରାଜ୍ୟର ୮୯ଟି ବ୍ଲକର ୧୫ ଶହ ପଞ୍ଚାୟତ ଓ ୬ ହଜାର ୭୪୫ ଗାଁ କ୍ଷତିଗ୍ରସ୍ତ ହୋଇଛି। ୩ ହଜାର ୨୨୮ଟି ଆଶ୍ରୟସ୍ଥଳୀକୁ ୨ ଲକ୍ଷ ୪ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲ। ୧ ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.