ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗବାସୀ ପରିବର୍ତ୍ତନର ପ୍ରକୃତ ଅର୍ଥ ଅନୁଭବ କରିପାରିବେ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ତୈଳ ଓ ଗ୍ୟାସ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ବିଭିନ୍ନ ମୌଳିକ ଢାଞ୍ଚା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପୂର୍ବ ମେଦିନୀପୁର ଜିଲ୍ଲାର ହଳଦିଆଠାରେ ୪ ହଜାର ୭ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଭାରତୀୟ ତୈଳନିଗମର ହଳଦିଆ ରିଫାଇନାରୀଠାରେ ଦ୍ୱିତୀୟ କାଟାଲିଟ୍‍କ୍‍ ଡି ୱାକ୍‍ସିଂ ୟୁନିଟ୍‍ର ଶିଳାନ୍ୟାସ କରିଛନ୍ତି। ଏଥିସହ ସେ ଭାରତ ପଟ୍ରୋଲିୟମ ନିଗମ ଏଲପିଜି ଆମଦାନୀ ଟର୍ମିନାଲର ଉଦ୍‍ଘାଟନ କରିଛନ୍ତି ଓ ରାଣୀଛକଠାରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷର ୪ ଲେନ୍‍ ବିଶିଷ୍ଟ ସଡକ ତଥା ଫ୍ଲାଇ ଓଭରର ଉଦ୍‍ଘାଟନ କରିଛନ୍ତି।

ଏହାପରେ ଶ୍ରୀ ମୋଦୀ ୨ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ଡୋଭି-ଦୁର୍ଗାପୁର ମଧ୍ୟରେ ନିର୍ମିତ ୩୪୭ କିଲୋମିଟର
ଦୀର୍ଘ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଲୋକାର୍ପିତ କରିଛନ୍ତି। ଆଜି ଅପରାହ୍ଣରେ ହଳଦିଆଠାରେ ଏକ ଜନସମାବେଶକୁ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ପଶ୍ଚିମବଙ୍ଗବାସୀ ଯାହା ପାଇବାପାଇଁ ଅପେକ୍ଷା କରିଛନ୍ତି, ତାହା ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି। ରାଜ୍ୟରେ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ମମତା ବାନାର୍ଜୀଙ୍କ ସରକାର ପଶ୍ଚିମବଙ୍ଗବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍‍ ଦେବାରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବି.ଜେ.ପି. କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗବାସୀ ପରିବର୍ତ୍ତନର ପ୍ରକୃତ ଅର୍ଥ ଅନୁଭବ କରିପାରିବେ। ତ୍ରିପୁରାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ବିରୋଧ କରାଯାଇ କୌଣସି ବିକାଶ କରାଯାଉ ନାହିଁ। ତୃଣମୂଳ କଂଗ୍ରେସର ନେତୃତ୍ୱକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି, ଯେଉଁମାନେ ବିକାଶକୁ ସମର୍ଥନ କରୁଛନ୍ତି, ସେମାନେ ବିଜେପିରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପିକୁ ସମର୍ଥନ କରିବାକୁ ଶ୍ରୀ ମୋଦୀ ଆହ୍ୱାନ କରିଛନ୍ତି।

Comments are closed.