କନ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରି ଭାରତର ଲକ୍ଷ୍ମୀକୁ ସମ୍ମାନ ଜଣାଇବା : ମୋଦୀ

ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କନ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରି ନାରୀ ଶକ୍ତିର ଶୌର୍ଯ୍ୟ ଓ ଉପଲବ୍ଧି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଅର୍ଥାତ ଭାରତର ଲକ୍ଷ୍ମୀକୁ ସମ୍ମାନ ଜଣାଇବା। ଦୀପାବଳି ପର୍ବ ଅବସରରେ “ଭାରତ୍‍ କୀ ଲକ୍ଷ୍ମୀ” କାର୍ଯ୍ୟକ୍ରମ ନାମରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ସେଥିପ୍ରତି ଦେଶର କୋଣ ଅନୁକୋଣରୁ ବିପୁଳ ଜନ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ସନ୍ତୋଷ ପ୍ରକଟ କରିଛନ୍ତି। ଏହିଭଳି ଉଦାହରଣରୁ ଲୋକେ ପ୍ରେରଣା ନେବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ୍‍ କୀ ଲକ୍ଷ୍ମୀ” କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏ ସମ୍ପର୍କରେ ଅନେକ ପ୍ରେରଣାଦାୟୀ କାହାଣୀ ଓ ଘଟଣା ସୋସିଆଲ୍‍ ମିଡିଆରେ ପ୍ରକାଶ ପାଇଥିଲା। ଏହି ଅବସରରେ ସେ ସପ୍ତଦଶ ଶତାବ୍ଦୀର କନ୍ନଡ଼ କବୟିତ୍ରୀ ସାଞ୍ଚି ହୋନ୍ନାମ୍ମାଙ୍କ ଉଦାହରଣ ଦେଇ କହିଛନ୍ତି, ସେ ଏକ କବିତା ଲେଖିଥିଲେ, ଯେଉଁଥିରେ ସେ କନ୍ୟାମାନଙ୍କୁ ସାମାଜିକ ତନ୍ତ୍ରର ରଜ୍ଜୁ ସୃଷ୍ଟିକାରିଣୀ ଏବଂ ଭବିଷ୍ୟତର ଗର୍ବ ଓ ଗୌରବ
ବୋଲି ବର୍ଣ୍ଣନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣି ମଣିଷ ମନରେ ନୂଆ ଚେତନା ଜାଗ୍ରତ କରେ। ଏଥର ଦୀପାବଳିରେ ସ୍ଥାନୀୟ ସାମଗ୍ରୀ କିଣି ଉତ୍ସବ ପାଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସ୍ଥାନୀୟ ଭାବେ ମିଳୁଥିବା ଜିନିଷ କିଣିଲେ, ଆଖପାଖର ଲୋକେ ଉପକୃତ ହେବେ ଏବଂ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।
ସ୍ୱଚ୍ଛତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏପରି ଏକ କାହାଣୀ,ଯାହା ଘରରୁ ଘରକୁ, ପାଖରୁ ଦୂରକୁ ସାରା ଦେଶରେ ଗୁଞ୍ଜରିତ ହୋଇଥିଲା ଏବଂ ଜନ ସମର୍ଥନ ପାଇ ଏହା ସଫଳ ହୋଇଛି। ଦେଶର ସର୍ବୋଚ୍ଚ ସୀମାନ୍ତ ଇଲାକା ସିଆଚେନ୍‍ର ଉଦାହରଣ ଦେଇ ସେ କହିଛନ୍ତି, ସେଠାରେ ଆମ ଯବାନମାନେ କେବଳ ଦେଶର ସୁରକ୍ଷାରେ ଲିପ୍ତ ନାହାନ୍ତି, ସେମାନେ ମଧ୍ୟ
ସ୍ୱଚ୍ଛତା ଅଭିଯାନରେ ଲାଗିଛନ୍ତି।
ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‍ଙ୍କ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୩୧ ତାରିଖରେ ତାଙ୍କର ଜନ୍ମଦିନ ପାଳିତ ହେବ। ସର୍ଦ୍ଦାର ପଟେଲ୍‍ଙ୍କର ଲୋକଙ୍କୁ ସଙ୍ଗଠିତ କରିବା ଏବଂ ବିଭିନ୍ନ ମତବାଦର ଲୋକଙ୍କୁ ଏକାଠି କରିବାର ବିରଳ ପ୍ରତିଭା ଥିଲା। ୧୯୨୧ରେ ଅହମ୍ମଦାବାଦରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନ କାଳରେ ନଗରୀର ଜଳଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ସେ କିପରି ଖଦି ବିକ୍ରିକୁ ଏକ ମାଧ୍ୟମ ଭାବରେ ଗ୍ରହଣ କରିଥିଲେ, ସେକଥା ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ। ଜାତି ଓ ସମ୍ପ୍ରଦାୟ ଭିତ୍ତିରେ ଯେପରି କୌଣସି ବାଛବିଚାର ଲୋକ ଭିତରେ ନ ରହେ, ସେଥିପାଇଁ ସେ ସାମ୍ବିଧାନରେ ଏହାକୁ ଏକ ମୌଳିକ ଅଧିକାର ଭାବେ ରଖିବାକୁ ସୁପାରିସ କରିଥିଲେ। ଏହାଛଡ଼ା ତତ୍କାଳୀନ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ କରି ଭାରତକୁ ଏକ ଦୃଢ଼ ସଂଘୀୟ ବ୍ୟବସ୍ଥାରେ ପରିଣତ କରିବାରେ ସର୍ଦ୍ଦାର ପଟେଲ୍‍ଙ୍କ ଅବଦାନ ଅବିସ୍ମରଣୀୟ। ଲାକ୍ଷାଦ୍ୱୀପରେ କିପରି ତତ୍କାଳ ଜାତୀୟ ପତାକା ଉଡ଼ିଲା ଏବଂ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କିଛି ଦେଶ କିପରି ବିଫଳ ହେଲେ, ସେ
ସମ୍ପର୍କରେ ସେ ମଧ୍ୟ ଉଲ୍ଲେଖ କରିଥିଲେ। ୩୧ ଅକ୍ଟୋବର ଜାତୀୟ ଏକତା ଦିବସ ଭାବେ ପାଳିତ ହେବ ଏବଂ ଏହି ଦିବସ ଦେଶର ଐକ୍ୟ, ସଂହତି ଓ ନିରାପତ୍ତା ରକ୍ଷା ପାଇଁ ଉଦ୍ଦିଷ୍ଟ। ଏକତା ପାଇଁ ଦୌଡ଼, ଏକାତ୍ମର ପ୍ରତୀକ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅକ୍ଟୋବର ୩୧ରେ ତାଙ୍କୁ ଯେଉଁ ପରିସ୍ଥିତିରେ ହତ୍ୟା କରାଗଲା, ତାହା ସାରା ଦେଶପାଇଁ ଏକ ବେଦନାଦାୟକ ମୁହୂର୍ତ୍ତ ଥିଲା। ଆସନ୍ତା ମାସ ୧୨ ତାରିଖରେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଦେବଙ୍କ ୫୫୦ତମ ପ୍ରକାଶ ଉତ୍ସବ ପାଳନ କରାଯିବ। ଗୁରୁ
ନାନକଦେବଙ୍କ ବାଣୀ ଓ ବାର୍ତ୍ତା ଭାରତ ସମେତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସୁଖସମୃଦ୍ଧି କାମନା କରିଛନ୍ତି।

Comments are closed.