ବିଶ୍ୱର ବିକାଶରେ ସହାୟକ ହେବାର କ୍ଷମତା ଭାରତ ନିକଟରେ ରହିଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିଶ୍ୱର ବିକାଶରେ ସହାୟକ ହେବାର କ୍ଷମତା ଭାରତ ନିକଟରେ ରହିଛି। କେରଳରେ ୬ ହଜାର ୧୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।  ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଦେଶବାସୀ ଚମତ୍କାର ପ୍ରଦର୍ଶନ କରିପାରିବେ। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କେରଳରେ ଅନ୍ତର୍ଜାତୀୟ କ୍ରୁଜ୍‍ ଟର୍ମିନାଲ୍‍ ‘ସାଗରିକା’ ର ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ରୁଜ୍‍ ଟର୍ମିନାଲ୍‍ ଏହାର ଏକ ଅନନ୍ୟ ଉଦାହରଣ। ଏହା ପର୍ଯ୍ୟଟକଙ୍କ ପାଇଁ ଉଭୟ ସୁବିଧା ସୁଯୋଗ ଓ ଆରାମଦାୟକ ଅନୁଭୂତି ଆଣିଦେବ। ବିଶ୍ୱରେ ଦେଖାଦେଇଥିବା ମହାମାରୀ ପରିସ୍ଥିତି ଯୋଗୁଁ ଲୋକମାନେ ଦେଶ ବାହାରକୁ ନ ଯାଇ ସ୍ଥାନୀୟ ଅଞ୍ଚଳରେ ବୁଲିବାକୁ ପସନ୍ଦ କରୁଛନ୍ତି। ଏହାକୁ ଏକ ଅନନ୍ୟ ସୁଯୋଗ ଭାବେ ଗ୍ରହଣ କରି ଆଗେଇ ଚାଲିଲେ ଏହା ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପ ପାଇଁ ଜୀବନ ଜୀବିକା ଯୋଗାଇ ଦେବାରେ ସାହାଯ୍ୟ କରିବ।
କେରଳରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳ, ଉତ୍ତର-ପୂର୍ବ ଓ ପାର୍ବତ୍ୟାଞ୍ଚଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ପେଟ୍ରୋଲ କର୍ପୋରେସନର ପ୍ରପିଲିନ୍‍ ଡେରାଇଭେଟିଭ୍‍ ପେଟ୍ରୋ ରସାୟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ୱିଲିଙ୍ଗ୍‍ଡନ୍‍ ଦ୍ୱୀପପୁଞ୍ଜଠାରେ ରୋ-ରୋ ଭେସେଲ୍‍ସକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ଉତ୍ସବରେ କେରଳ ରାଜ୍ୟପାଳ ଅରିଫ୍‍ ମହମ୍ମଦ ଖାନ୍‍, ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‍, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ
ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭି. ମୂରଲିଧରନ ଓ ମନସୁଖ ଲାଲା ମାଣ୍ଡଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଲୋକାର୍ପିତ ହୋଇଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼(ବିପିସିଏଲ)ର ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଚି ବିଶୋଧନାଗାରର ଅତ୍ୟାଧୁନିକ ପ୍ରୋପିଲିନ ଡେରିଭେଟିଭ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଣ୍ଟରେ ବିଦେଶରୁ ଆମଦାନୀ ହେଉଥିବା ସର୍ବୋତ୍କୃଷ୍ଟ ମାନର ପେଟ୍ରୋକେମିକାଲ ଉତ୍ପାଦ ଉତ୍ପାଦନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ବିଶାଳ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ବିପିସିଏଲ୍‍ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଣ୍ଟ ଏବଂ କୋଚି ସ୍ଥିତ ୱିଲିଙ୍ଗଡ଼ନ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ସେହିପରି ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ଗୁଡ଼ିକ ମେକ୍‍ ଇନ୍‍ ଇଣ୍ଡିଆ ପଦକ୍ଷେପକୁ ମଜବୁତ୍‍ କରିବ, କେରଳର ସାମଗ୍ରିକ ବିକାଶ କରିବା ସଙ୍ଗେସଙ୍ଗେ ପର୍ଯ୍ୟଟନକୁ ଗତି ଦେବ। ଏହାସହ ରାଜସ୍ୱ ବୃଦ୍ଧି କରିବା ସହ କେରଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଦେଶର ଭବିଷ୍ୟତର ଭିତିଭୂମି ନିର୍ମାଣ କରିବା ଦିଗରେ ବିପିସିଏଲର ପିଡିପିପି ପ୍ଲାଣ୍ଟ ଅନ୍ୟତମ ପଦକ୍ଷେପ। ଏହି ପ୍ଲାଣ୍ଟ ସ୍ଥାନୀୟ ଅଞ୍ଚଳର ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଅର୍ଥନୀତି ଏବଂ ରୋଜଗାର ବୃଦ୍ଧି କରିବ। ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରାଯାଇପାରିବ। ବିଗତ ୬ ବର୍ଷରେ କେରଳରେ ତୈଳ ଏବଂ ଗ୍ୟାସ ଶିଳ୍ପ ବିଶୋଧନାଗାର, ପାଇପଲାଇନ, ମାର୍କେଟିଂ, ସିଜିଡ଼ି ନେଟୱାର୍କ ସମେତ ପେଟ୍ରୋଲିୟମ ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ଏହାସହ ତୈଳଶିଳ୍ପ ବାର୍ଷିକ ଆନୂମାନିକ ୭ ହଜାର ୫୦୦ କୋଟି ଟଙ୍କା କେରଳର ରାଜକୋଷକୁ ପ୍ରଦାନ କରୁଛି। ଗତ ମାସେ ତଳେ ପ୍ରଧାନମନ୍ତ୍ରୀ ମୋଦି ୪୫୦ କିମି ଲମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ଜୀବନଯାପନକୁ ସୁଗମ କରିବା ଏବଂ ଭବିଷ୍ୟତ ପାଇଁ ନୂଆ ଭାରତ ଗଠନ କରିବାକୁ ପ୍ରାଥମିକତା ଦେଉଥିବା ଆଜିର କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.