ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ‘ୟାସ’ ଯୋଗୁ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ଅପରାହ୍ନରେ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି।

ଓଡ଼ିଶା ସହିତ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ମଧ୍ୟ ବାତ୍ୟା ‘ୟାସ’ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ପଶ୍ଚିମବଙ୍ଗର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକାଶମାର୍ଗରୁ ପରିଦର୍ଶନ କରିବେ। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବାତ୍ୟା ଯୋଗୁ ଗତ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ଘଟିଥିଲା। ଅନେକ ଲୋକଙ୍କ ଘର ଭାଙ୍ଗିଯିବା ସହିତ ବିଦ୍ୟୁତ୍‌ ଖୁଣ୍ଟ ଏବଂ ବଡ଼  ବଡ଼ ଗଛ ଉପୁଡ଼ି ଯାଇଥିଲା। ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିଲେ। ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟ​‌ରେ ଦାବି କରିଥିଲେ।

Comments are closed.