ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ; ୧୭୭୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ୪୩ଟି ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ: ଆଜି ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ବାରଣାସୀ ଗସ୍ତକରି ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ସ୍କୁଲ ପିଲା ମାନଙ୍କ ପାଇଁ ଅକ୍ଷୟ ପାତ୍ର ରୋଷଶାଳାର ଉଦ୍‌ଘାଟନ କରିବେ । ଅକ୍ଷୟ ପାତ୍ର ରୋଷଶାଳା ଯୋଗୁ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସୁବ୍ୟବସ୍ଥା ଆସିବ ।

ପରେ ପରେ ୧୭୭୪.୩୪ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ପରେ ପ୍ରଧାନମନ୍ତ୍ରୀ ସିଗ୍ରା ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତାହା ସହ ସେଠାରୁ ପ୍ରଧାନମନ୍ତ୍ରୀ ରୁଦ୍ରକ ସମ୍ମିଳନୀ କେନ୍ଦ୍ରକୁ ଯିବେ । ସେଠାରେ ଆୟୋଜିତ ହୋଇଥିବା ଅଲ ଇଣ୍ଡିଆ ଶିକ୍ଷା ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷାବାଦୀଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ଣ ପ୍ରାୟ ୨ଟା ବେଳେ ସ୍ୱତନ୍ତ୍ର ବିମାନ ଯୋଗେ ବାବତପୁରର ବିମାନମନ୍ଦରରେ ପହଞ୍ଚିବେ । ସେଠାରୁ ସେନା ହେଲିକପ୍ଟର ଯୋଗେ ଏଲଟି କଲେଜକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏଲଟି କଲେଜରେ ପ୍ରଧାନମନ୍ତ୍ରୀ ଅକ୍ଷୟ ପାତ୍ର ରୋଷଶାଳାର ଉଦ୍‌ଘାଟନ କରିବା ସହ ୨୦ଜଣ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନର ସ୍ୱାଦ ପରକ୍ଷିବେ । ପରେ ପରେ ଅନ୍ୟନ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ବୋଲି ଜଣାପଡ଼ିଛି ।

Comments are closed.