ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‍ଘାଟନ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଉଛନ୍ତି। ସେ ଉଭୟ ରାଜ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବେ।

ଶ୍ରୀ ମୋଦୀ ୩ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‍ଘାଟନ କରିବେ। ସେ ଚେନ୍ନଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ  ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ୨୯୩ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ବିଚ୍‍-ଆଟ୍ଟିପଟ୍ଟୁ ରେଳ ଲାଇନ୍‍ର ବିଦ୍ୟୁତିକରଣ କାର୍ଯ୍ୟକୁ ଉଦ୍‍ଘାଟନ କରିବେ। ଶ୍ରୀ ମୋଦୀ କଲ୍ଲାନାଇ କେନାଲ୍‍ ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ବାବଦରେ ୨ହଜାର ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ଥୟୁର୍‍ ଆଇଆଇଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଚେନ୍ନଇ ଗସ୍ତ ପୂର୍ବରୁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬ହଜାର ନିରାପତ୍ତା ବାହିନୀ ଯବାନଙ୍କୁ ଏଥିପାଇଁ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେ ୯କିଲୋମିଟର ଦୀର୍ଘ ଏକ ମେଟ୍ରୋ ପ୍ରକଳ୍ପକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଉତ୍ତର ଚେନ୍ନଇର ସେହି ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା କ୍ଷୁଦ୍ର ଓ କୂଟୀରଶିଳ୍ପ ଗୁଡ଼ିକୁ ବିଶେଷ ଲାଭ ମିଳିବ। ପ୍ରଧାନମନ୍ତ୍ରୀ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‍ MK-1AKକୁ ସେନାବାହିନୀକୁ ଅର୍ପଣ କରିବେ। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଏବଂ ୧୫ଟି ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ମାଣ କରାଯାଇଛି। ସେନାବାହିନୀ ଏଭଳି ୧୧୮ଟି ଟ୍ୟାଙ୍କ୍‍ କ୍ରୟ କରିବାକୁ ବରାଦ ଦେଇଛି।
ପ୍ରଧାନମନ୍ତ୍ରୀ କେରଳର କୋଚିଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ଦେଶ ଉଦ୍ଦେଶ୍ୟରେ
ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ସହରରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ସହର ଉପରେ କୌଣସି ଡ୍ରୋନ୍‍ର ଉଡ଼ାଣକୁ ନିଷେଧ କରିଛି।
ପ୍ରଧାନମନ୍ତ୍ରୀ ବିପିସିଏଲର ପ୍ରପିଲିନ୍‍ ଡେରାଇଭେଟିଭ୍‍ ପେଟ୍ରୋ ରସାୟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ ଆକ୍ରିଲେଟ୍‍, ଆକ୍ରିଲିକ୍‍ ଏସିଡ୍‍ ଓ ଅକ୍ସୋ-ଆଲକୋହଲ୍‍ ଉତ୍ପାଦନ କରିବ। ଏହି ପଦାର୍ଥଗୁଡ଼ିକୁ ଭାରତ ବିଦେଶରୁ ଆମଦାନୀ କରୁଛି। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୩ହଜାର ୭୦୦ରୁ ୪ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ହୋଇପାରିବ।
କୋଚିର ୱିଲିଙ୍ଗ୍‍ଡନ୍‍ ଦ୍ୱୀପପୁଞ୍ଜଠାରେ ସେ ରୋ-ରୋ ଭେସେଲ୍‍ସକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରୋ-ରୋ ସେବା ପରିବହନ ଖର୍ଚ୍ଚ ଓ ସମୟ କମ୍‍ କରି ବ୍ୟବସାୟ କ୍ଷେତ୍ର ପାଇଁ ସୁବିଧା ପହଞ୍ଚାଇବା ସହିତ କୋଚିର ସଡ଼କ ଗୁଡ଼ିକରେ ଯାନବାହନ ଭିଡ଼ କମ୍‍ କରିବ। ପ୍ରଧାନମନ୍ତ୍ରୀ କୋଚିନ୍‍ ବନ୍ଦରଠାରେ ଆନ୍ତର୍ଜାତିକ କ୍ରୁଜ୍‍ ଟର୍ମିନାଲ୍‍ – ‘ସାଗରିକା’କୁ ଉଦ୍‍ଘାଟନ କରିବେ। ସେ କୋଚିନ୍‍ ଶିପୟାର୍ଡ ଲିମିଟେଡ୍‍ର ସାମୁଦ୍ରିକ ଇଞ୍ଜିନିୟରିଙ୍ଗ ତାଲିମ ପ୍ରତିଷ୍ଠାନକୁ ଉଦ୍‍ଘାଟନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୋଚିନ୍‍ ବନ୍ଦରଠାରେ ସାଉଥ୍‍ କୋଲ୍‍ ବର୍ଥର ପୁର୍ନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି
ଅବସରରେ କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।

Comments are closed.